୭୬ ବର୍ଷର ବରକୁ ୪୬ର କନିଆଁ

ମୋହନା,୨୫ା୭(ମନ୍ମଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗ୍ରାମର ରାମଚନ୍ଦ୍ର ସାହୁ (୭୬) ଏବଂ ଭଞ୍ଜନଗର କୁଲାଡ଼ ଗ୍ରାମର ସୁରେଖା ସାହୁ (୪୬)ଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାମଚନ୍ଦ୍ର ଆଡ଼ପଡା ଗ୍ରାମର ମୂଳ ବାସିନ୍ଦା। ସେ ପୂର୍ବରୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଅଙ୍କ ବିବାହ ପରେ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଫଳରେ ଏକାକୀ ହୋଇଯାଇଥିଲେ ରାମଚନ୍ଦ୍ର। ଦୀର୍ଘ ୫୦ ବର୍ଷ ଧରି ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ ତଲାସିଂ ଗ୍ରାମରେ ରହିଆସୁଛନ୍ତି। ଏକାକୀ ନିଃସଙ୍ଗ ଜୀବନ ବିତାଇବା ସହିତ ତଲାସିଂ ଗ୍ରାମରେ ଛୋଟ ବ୍ୟବସାୟ କରି ରହୁଛନ୍ତି। ଗତ ୭ବର୍ଷ ତଳେ ଏକ ଭୋଜିରେ ସୁରେଖାଙ୍କ ସହ ତାଙ୍କର ଦେଖାହୋଇଥିଲା। ପ୍ରଥମ ଦେଖାରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ। ସୁରେଖା ଅବିବାହିତ ଥିଲେ। ଫୋନ ମାଧ୍ୟମରେ କଥାବାର୍ତ୍ତା ହେବା ସହ ଦେଖାସାକ୍ଷାତ ମଧ୍ୟ କରୁଥିଲେ। ତେବେ ପରିଣତ ବୟସରେ ସୁରେଖାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ରାମଚନ୍ଦ୍ର। ତାଙ୍କ ପ୍ରସ୍ତାବରେ ଏକମତ ହୋଇଥିଲେ ସୁରେଖା ଏବଂ ଗତ ୧୯ତାରିଖରେ ଭଞ୍ଜନଗର କୋର୍ଟରେ ବିବାହ ହୋଇଥିଲା। ପରେ ତଲାସିଂ ଗ୍ରାମର ଗଣେଶ ମନ୍ଦିରରେ ବୈଦିକ ରୀତିରେ ବିବାହ କରିଥିଲେ। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସ୍ବାମୀଙ୍କ ପାଖରେ ରହିବେ ବୋଲି ସୁରେଖା କହିଛନ୍ତି।

Share