ସୋନପୁର,୩।୭(ନି.ପ୍ର.): ଦୃଢ ଇଚ୍ଛାଶକ୍ତି ଥିଲେ ସଫଳ ହେବାକୁ କେହି ରୋକି ପାରିବେ ନାହିଁ। ଏହା ପ୍ରମାଣ କରି ଦେଖାଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ ରମେଶ ପ୍ରସାଦ ନାୟକ। ୭୭ ବର୍ଷ ବୟସରେ ସେ ପାଠ ପଢି ଓଡ଼ିଆରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ (ପିଜି) ହାସଲ କରିଛନ୍ତି।
ରମେଶଙ୍କ ଘର ବୌଦ୍ଧ ଜିଲା ପଦରପଡ଼ାରେ। ସେ କଣ୍ଟାମାଳ ବ୍ଲକ ବିଳାସପୁର ଜନତା ହାଇସ୍କୁଲରେ ଶିକ୍ଷକତା କରୁଥିଲେ। ୨୦୦୨ରେ ଶେଷ ହୋଇଥିଲା ତାଙ୍କର ୩୨ ବର୍ଷ ଚାକିରି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇ ତାଙ୍କୁ ଏହି ସଫଳତା ମିଳିଛି। ରମେଶ ପିଜିରେ ଉତ୍ତୀର୍ଣ୍ଣ ହୋଇଥିବା ଶନିବାର ଜଣାପଡିବା ପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ପାଠ ପଢିବା ଓ ପରୀକ୍ଷାରେ ସଫଳତା ପାଇଁ ବୟସ ପ୍ରତିବନ୍ଧକ ନୁହଁ। ଦୃଢ ଇଚ୍ଛାଶକ୍ତି ହିଁ ସଫଳତା ଦେଇଥାଏ ବୋଲି ନାୟକ ପ୍ରତିକ୍ରିୟାରେ କହିଛନ୍ତି।