ଅଲିମ୍ପିକ୍ସ ଆୟୋଜନ ହେବନି ବୋଲି ୭୭ ପ୍ରତିଶତ ଜାପାନୀ ଭାବୁଛନ୍ତି

ଟୋକିଓ,୬।୭: ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷ ଆୟୋଜନ ହୋଇପାରିବ ନାହିଁ ବୋଲି ଜାପାନର ୭୭ ପ୍ରତିଶତ ବ୍ୟକ୍ତି ଭାବୁଛନ୍ତି। ଏକ ସର୍ଭେରୁ ଏହା ଜଣାପଡିଛି। ଜାପାନ ନ୍ୟୁଜ୍‌ ନେଟଓ୍ବର୍କ (ଜେଏନ୍‌ଏନ୍‌) ଦ୍ୱାରା ଏହି ସର୍ଭେ କରାଯାଇଥିଲା। ଟୋକିଓ ୨୦୨୦ ଅଲିମ୍ପିକ୍ସ ପ୍ରଥମେ ଚଳିତ ମାସ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ ମହାମାରୀ କାରଣରୁ ଏହାକୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯାଇଥିଲା। ତେବେ ଏହି ମହାମାରୀର ପ୍ରକୋପ ଏପର୍ଯ୍ୟନ୍ତ କମିନାହିଁ। ତେଣୁ ଏହା ଆସନ୍ତାବର୍ଷ ଆୟୋଜନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ମେଗା ଇଭେଣ୍ଟକୁ ଆୟୋଜନ କରିବାକୁ ଆୟୋଜକମାନେ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି। ମହାମାରୀକୁ ଦୃଷ୍ଟିରେ ରଖି କମ୍‌ ଖର୍ଚ୍ଚ ଓ ରିକ୍ସରେ ଏହାର ଆୟୋଜନ ପାଇଁ ପ୍ରୟାସ କରିବୁ ବୋଲି ଆୟୋଜନମାନେ କହିଛନ୍ତି।
ଗତ ସପ୍ତାହ ଶେଷରେ ଜେଏନ୍‌ଏନ୍‌ ଜାପାନ ରଜନୀତିକୁ ନେଇ ଏକ ସର୍ଭେ କରିଥିଲା। ଏଥିରେ କୌଣସି ସ୍ବତନ୍ତ୍ର କାରଣ ନ ଦର୍ଶାଇ ୭୭ ପ୍ରତିଶତ ଲୋକ ନକାରାତ୍କକ ମତ ପୋଷଣ କରିଥିଲେ। ତେବେ ୧୭ ପ୍ରତିଶତ ଅଲିମ୍ପିକ୍ସ ଆସନ୍ତାବର୍ଷ ଆୟୋଜନ ହେବ ବୋଲି ମତ ଦେଇଛନ୍ତି। ମହାମାରୀ କାରଣରୁ ଗତ ମାର୍ଚ୍ଚରେ ଜାପାନ ସରକାର ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ମିଳିତ ଭାବେ ଅଲିମ୍ପିକ୍ସକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। ଏହାପର ଠାରୁ ଆୟୋଜନମାନେ ବିଭିନ୍ନ ସମସ୍ୟା ନେଇ ସଂଘର୍ଷ କରିଆସୁଛନ୍ତି। ଆୟୋଜକଙ୍କୁ ମୂଲ୍ୟବୃଦ୍ଧି, ଖେଳାଳି ସୁରକ୍ଷା ଓ ଜୈବ ସୁରକ୍ଷିତ ଭେନ୍ୟୁ ଭଳି ଚ୍ୟାଲେଞ୍ଜ୍‌ର ସାମ୍ନା କରିବାକୁ ପଡୁଛି।