Categories: ଜାତୀୟ

୭୮% ଗ୍ରାମାଞ୍ଚଳ ଭାରତୀୟ ଚାହାନ୍ତି ‘ଝିଅ ଗ୍ରାଜୁଏଟ ହେଉ’

ନୂଆଦିଲ୍ଲୀ,୧୦।୮: ଭାରତର ଗ୍ରାମାଞ୍ଚଳରେ ରହୁଥିବା ୭୮ ପ୍ରତିଶତ ଅଭିଭାବକ ଚାହାନ୍ତି ଯେ, ସେମାନଙ୍କ ଝିଅ ଅତିକମରେ ସ୍ନାତକ ପର୍ଯ୍ୟନ୍ତ ପଢ଼ୁ। ଏହା ଏକ ସର୍ଭେରୁ ଜଣାପଡିଛି। ୨୦ଟି ରାଜ୍ୟର ୬୨୨୯ ଗ୍ରାମୀଣ ପରିବାରକୁ ନେଇ ଏହି ସର୍ଭେ କରାଯାଇଥିଲା। ଏହାର ରିପୋର୍ଟକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସନ୍ଧ୍ୟାରେ ପ୍ରକାଶ କରିଛନ୍ତି। ଲିଙ୍ଗଗତ ବ୍ୟବଧାନ କଥା ଯଦି କୁହାଯିବ, ତେବେ ଗ୍ରାମାଞ୍ଚଳ ଅଭିଭାବକ ମାନେ ସେମାନଙ୍କ ପୁଅ ଓ ଝିଅକୁ ଟେକ୍‌ନିକାଲ ଡିଗ୍ରୀ, ସ୍ନାତକ, ସ୍ନାତକୋତ୍ତର ଭଳି ସମାନ ଶିକ୍ଷା ଦେବା ପାଇଁ ଚାହାନ୍ତି। ୮୨ ପ୍ରତିଶତ ପୁଅ ଏବଂ ୭୮ ପ୍ରତିଶତ ଝିଅଙ୍କ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍ନାତକ ତଥା ତା’ ଠାରୁ ଅଧିକ ପଢ଼ାଇବା ପାଇଁ ଚାହାଁନ୍ତି। ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ଆଧାରରେ କରାଯାଇଥିବା ଏହି ସର୍ଭେରେ ଜଣାପଡିଛି ଯେ, ଛାତ୍ରୀ ତୁଳନାରେ ଅଧିକ ସଂଖ୍ୟକ ଛାତ୍ର ପ୍ରାଥମିକ ସ୍ତରରୁ ହିଁ ପାଠପଢ଼ା ଛାଡିଥାନ୍ତି। ଯଦି ଛାତ୍ରୀଙ୍କ କଥା କୁହାଯିବ ତେବେ ୩୫ ପ୍ରତିଶତ ଛାତ୍ରୀ ଏହି ସ୍ତରରୁ ପାଠପଢ଼ା ଛାଡିଥାନ୍ତି। ସେହିପରି ୬୫ ପ୍ରତିଶତ ଝିଅ ଏବଂ ୭୫ ପ୍ରତିଶତ ପୁଅ ପ୍ରାଥମିକ ଶିକ୍ଷା ପରେ ପାଠପଢ଼ା ଛାଡ଼ିଥାନ୍ତି। ନିଜ ଗଁା ଅଞ୍ଚଳରେ ଉଚ୍ଚ ଶିକ୍ଷା ଲାଭ ପାଇଁ କୌଣସି ଶିକ୍ଷାନୁଷ୍ଠାନ ନଥିବା ଏହାର ଏକ ପ୍ରମୁଖ କାରଣ ବୋଲି ଜଣାପଡିଛି। ଡେଭଲପମେଣ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌(ଡିଆଇୟୁ), ଟ୍ରାନ୍ସଫର୍ମିଂ ରୁରାଲ ଇଣ୍ଡିଆ ଫାଉଣ୍ଡେଶନ(ଟିଆରଆଇଏଫ) ଏବଂ ସମ୍ବୋଧିତ ସଂସ୍ଥା ଦ୍ୱାରା ଗ୍ରାମାଞ୍ଚଳର ୬ରୁ ୧୬ ବର୍ଷ ଶିଶୁଙ୍କ ଶିକ୍ଷା ଆଧାରରେ ଏହି ସର୍ଭେ କରାଯାଇଥିଲା। ସର୍ଭେରୁ ଜଣାଯାଇଛି, ୬୫ ପ୍ରତିଶତ ପିଲା ସେମାନଙ୍କ ଅଧ୍ୟୟନବେଳେ ମା’ଙ୍କ ତତ୍ତ୍ୱାବଧାନରେ ରହିଥିବାବେଳେ ୪୯ ପ୍ରତିଶତ ଶିଶୁ ବାପାଙ୍କ ତତ୍ତ୍ୱାବଧାନରେ ରହିଥାନ୍ତି। ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ନିଜେ ଘରେ ପାଠ ପଢ଼ାଇବା ସହ ସେମାନଙ୍କ ଅଧ୍ୟୟନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଅପରପକ୍ଷେ ୩୮ ପ୍ରତିଶତ ଅଭିଭାବକ ସେମାନଙ୍କ ପିଲାଙ୍କ ଉନ୍ନତ ଶିକ୍ଷା ଲାଗି ଘରୋଇ ଟ୍ୟୁସନ ଉପରେ ନିର୍ଭର କରିଥାନ୍ତି।

ଗ୍ରାମାଞ୍ଚଳରେ ଏକଥା ମଧ୍ୟ ଦେଖାଯାଇଥାଏ ଯେ, ପିଲାଙ୍କ ବାପାମା’ ବ୍ୟତୀତ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ପାଠପଢ଼ାରେ ସହାୟକ ହୋଇଥାନ୍ତି। ୨୫.୬ ପ୍ରତିଶତ ଶିଶୁଙ୍କୁ ସେମାନଙ୍କ ପରିବାର ବୟସ୍କ ବ୍ୟକ୍ତି ପାଠ ପଢ଼ାଉଥିବାବେଳେ ୩.୮ ପ୍ରତିଶତ ପିଲା ଅଙ୍ଗନଓ୍ବାଡି ଏବଂ ୭.୬ ପ୍ରତିଶତ ପିଲା ଘରୋଇ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ପଢ଼ିଥାନ୍ତି। ଆଜିକାଲି ପିଲାମାନେ ପାଠପଢ଼ା ଅପେକ୍ଷା ସ୍ମାର୍ଟଫୋନରେ କେତେ ସମୟ ବିନିଯୋଗ କରିଥାନ୍ତି ସେନେଇ ମଧ୍ୟ ଏହି ସର୍ଭେରେ ଦର୍ଶାଯାଇଛି। ଦୈନିକ ୭୩ ପ୍ରତିଶତ ଶିଶୁ ଦୁଇ ଘଣ୍ଟାରୁ କମ ସମୟ ସ୍ମାର୍ଟଫୋନ ଦେଖୁଥିବାବେଳେ ଅଧିକ ବୟସର ପିଲା ଅଧିକ ସମୟ ସ୍ମାର୍ଟଫୋନ ଦେଖିବାରେ ବିତାଇଥାନ୍ତି ବୋଲି ଜଣାପଡିଛି।

Share