୭୯ରେ ଶେହନଶାହ

ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ୭୯ ବର୍ଷରେ ପାଦ ରଖିଛନ୍ତି । ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ରବିବାର ରାତିରୁ ମୁମ୍ବାଇ ସ୍ଥିତ ତାଙ୍କ ଘର ‘ଜଲସା’ ସମ୍ମୁଖରେ ପ୍ରଶଂସକଙ୍କ ଭିଡ ଲାଗିଛି । ୧୧ ଅକ୍ଟୋବର ୧୯୪୨ରେ ଆହ୍ଲାବାଦ(ପ୍ରୟାଗରାଜ)ରେ ପ୍ରସିଦ୍ଧ ସାହିତ୍ୟିକ ହରିବଂଶ ରାୟ ବଚ୍ଚନଙ୍କ ଘରେ ଜନ୍ମ ନେଇଥିଲେ ଅମିତାଭ । ଅମିତାଭଙ୍କ ମା’ ତେଜି ବଚ୍ଚନ ଅବିଭାଜିତ ଭାରତର କରାଚିର ବାସିନ୍ଦା ହୋଇଥିବାରୁ ପ୍ରଥମେ ଅମିତାଭଙ୍କ ନାଁ ରଖାଯାଇଥିଲା ଇନକିଲାବ । ହେଲେ ପରେ ପ୍ରସିଦ୍ଧ କବି ସୁମିତ୍ରାନନ୍ଦନ ପନ୍ଥ ତାଙ୍କ ନା ବଦଳାଇ ଅମିତାଭ ରଖିଥିଲେ ।


ଆଜି ନିଜର କଠିନ ପରିଶ୍ରମ ତାଙ୍କୁ କେବଳ ଦେଶର ନୁହେଁ ବିଶ୍ୱର ଜଣେ ପରିଚିତ ବ୍ୟକ୍ତିତ୍ୱର ପରିଚୟ ଦେଇଛି । ହେଲେ ପ୍ରଥମେ ରିଜେକଶନର ସାମ୍ନା କରିଥିବା ଅମିତାଭ ପରେ କିନ୍ତୁ ସୁପରଷ୍ଟାର ହେବାର ସୌଭାଗ୍ୟ ପାଇଥିଲେ । ପ୍ରଥମେ ଅଲ ଇଣ୍ଡିଆ ରେଡିଓରେ କାମ କରିବାକୁ ଭଏସ୍ ଓଭର ଦେଇ ଫେଲ୍ ହୋଇଥିଲେ ଅମିତାଭ । ସେଠାରେ ତାଙ୍କ ଭଏସ୍‌କୁ ରିଜେକ୍ଟ କରି ଦିଆଯାଇଥିଲା । ପରେ ସେ କିନ୍ତୁ ଏକ ବେଙ୍ଗଲି ଫିଲ୍ମରୁ କାମ ଆରମ୍ଭ କରିଥିଲେ । ଏହାପରେ ଖୋଲିଥିଲା ଅମିତାଭଙ୍କ ଭାଗ୍ୟ । ଗୋଟିଏ ପରେ ଗୋଟିଏ ଅଫର ପାଇ ଶେଷରେ ସେ ପାଲଟି ଯାଇଥିଲେ ବଲିଉଡ୍‌ର ମହାନାୟକ । ୯୦ ଦଶକରେ ଅମିତାଭ ନିଜର ଏକ ପ୍ରଡକଶନ ହାଉସ୍ ଖୋଲିଥିବା ବେଳେ ଏଥିରେ ବହୁ ପରିମାଣ କ୍ଷତି ସହିବାକୁ ପଡିଥିଲା ତାଙ୍କୁ । ପରେ ସେ ନିଜକୁ ଦେବାଳିଆ ଘୋଷଣା କରିଥିଲେ । କିନ୍ତୁ ଏତିକି ବେଳେ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ ବଲିଉଡର ଆଗ ଧାଡିର ନିର୍ଦ୍ଦେଶକ ୟଶ ଚୋପ୍ରା । ଫିଲ୍ମ ‘ସିଲସିଲା’ ପରେ ଉଭୟଙ୍କ ମଧ୍ୟରେ ସେତେଟା ସମ୍ପର୍କ ନ ଥିଲେ ମଧ୍ୟ କରଜରେ ବୁଡି ରହିଥିବା ଅମିତାଭ ପୁଣିଥରେ ଚୋପ୍ରା ସାହେବଙ୍କୁ ମନେପକାଇ ତାଙ୍କ ନିକଟରେ ଫିଲ୍ମ ପାଇଁ ମୁହଁ ଖୋଲି କହିଥିଲେ । ଆଉ ୟଶ ଚୋପ୍ରା ତାଙ୍କୁ ‘ମୋହବତେ’ ଫିଲ୍ମରେ କାମ କରିବାର ସୁଯୋଗ ଦେଇଥିଲେ । ଏହାପରେ ପୁଣିଥରେ ଟ୍ରାକକୁ ଫେରିଥିଲେ ଅମିତାଭ ।
ଅମିତାଭଙ୍କ ପ୍ରେମ କାହାଣୀ ଆଜିବି ଶୁଣିବାକୁ ତାଙ୍କ ପ୍ରଶଂସକଙ୍କୁ ଇଚ୍ଛା ହୁଏ । ଆରମ୍ଭରୁ ସେ ବଲିଉଡ୍ ନାୟିକା ରେଖାଙ୍କ ପ୍ରେମରେ ପଡିଥିଲେ ବୋଲି କୁହାଯାଏ । ହେଲେ ପରେ ସେ ଜୟାଙ୍କୁ ବିବାହ କରିଥିଲେ । ନିଜ ପ୍ରଥମ ପ୍ରେମକୁ ନେଇ କେବେ ମୁହଁ ଖୋଲି ନ ଥିବା ଅମିତାଭଙ୍କ ପ୍ରେମ କାହାଣୀ ଆଜିବି ରହସ୍ୟ ହୋଇ ରହିଯାଇଥିବା କୁହାଯାଏ ।

Share