ରାଜ୍ୟର ୭୯ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ

ଭୁବନେଶ୍ୱର,୨୭।୬: ରାଜ୍ୟରେ ଥିବା ଅଣାଅସୀଟି ମାଧ୍ୟମିକ ବିଦ୍ୟାଳୟକୁ ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟର ପ୍ରକଳ୍ପ ଅନୁମୋଦନ ବୋର୍ଡର ସୁପାରିସ କ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉନ୍ନୀତ ହୋଇଥିବା ଅଣାଅସୀଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କଳା ବିଭାଗ ଖୋଲିବ । ଚଳିତ ଶିକ୍ଷାବର୍ଷରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, କଳାହାଣ୍ଡିରେ ୧୭ଟି ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିବା ବେଳେ ଗଞ୍ଜାମରେ ୧୪ଟି, ସୁନ୍ଦରଗଡ଼ରେ ୧୦ଟି, ବଲାଙ୍ଗୀରରେ ୮ଟି, ଭଦ୍ରକରେ ୪ଟି, କୋରାପୁଟରେ ୬ଟି, କେନ୍ଦୁଝରରେ ୫ଟି, ଝାରସୁଗୁଡ଼ାରେ ୪ଟି, ସମ୍ବଲପୁରରେ ୩ଟି, ବୌଦ୍ଧ, ମାଲକାନଗିରି ଓ ନବରଙ୍ଗପୁରରେ ୨ଟି ଲେଖାଏଁ ଏବଂ ମୟୂରଭଞ୍ଜ ଓ ନୂଆପଡ଼ାରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ରହିଛି ।

ଅନ୍ୟପଟେ ରାଜ୍ୟରେ ଥିବା ଯୁକ୍ତ ୩ କଳା, ବିଜ୍ଞାନ, ବାଣିଜ୍ୟ, ଶାସ୍ତ୍ରୀ, ସେଲଫ୍‍ ଫାଇନାନ୍ସିଂ ଓ ଆଇନ ଶ୍ରେଣୀରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍‍ ୧ ଲକ୍ଷ ୭୮ ହଜାର ୯୭୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଯୁକ୍ତ ୩ କଳାରେ ୧ ଲକ୍ଷ ୯ ହଜାର ୮୫୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଚୟନ ହୋଇଥିବା ବେଳେ ବିଜ୍ଞାନରେ ୪୫ ହଜାର ୬୧୪, ବାଣିଜ୍ୟରେ ୧୭ ହଜାର ୧୫୬, ଶାସ୍ତ୍ରୀରେ ୩ ହଜାର ୫୭୪, ସେଲ୍‍ଫ ଫାଇନାନ୍ସିଂରେ ୨ ହଜାର ୬୨୬ ଏବଂ ଆଇନ ପାଠ୍ୟକ୍ରମରେ ୧୫୨ ଜଣ ନାମ ଲେଖାଇବାକୁ ଚୟନ ହୋଇଛନ୍ତି ।

ଗୁରୁବାର ସୁଦ୍ଧା ଯୁକ୍ତ ୩ କଳାରେ ୫ ହଜାର ୧୪୬ ଜଣ ନାମ ଲେଖାଇଥିବା ବେଳେ ବିଜ୍ଞାନରେ ୧ ହଜାର ୬୧ ଜଣ, ବାଣିଜ୍ୟରେ ୯୨୬ ଜଣ, ସେଲଫ୍‍ ଫାଇନାନ୍ସିଂରେ ୭୬ ଜଣ, ଶାସ୍ତ୍ରୀରେ ୨୬୧ ଜଣ ନାମ ଲେଖାଇଛନ୍ତି । ଏହି ପ୍ରଥମ ପର୍ଯ୍ୟାୟ ନାମଲେଖା ଚଳିତ ମାସ ୨୯ ତାରିଖ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ମେଧାତାଲିକା ଜୁଲାଇ ୫ ତାରିଖରେ ପ୍ରକାଶ ପାଇବ ।

Share