Categories: ଜାତୀୟ

କରୋନା ପରେ ଏବେ ଜିକା ଭାଇରସ୍‌ ଚିନ୍ତା

ପୁଣେ, ୧୦।୮: ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ କରୋନା ଭାଇରସ ସଂକ୍ରମଣରୁ ଉଦ୍ଧାର ପାଇ ନ ଥିବାବେଳେ ଏବେ ଅନ୍ୟ ଏକ ବିପଦ ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି। ଏବେ ମହାରାଷ୍ଟ୍ରରେ ଜିକା ଭାଇରସ୍‌ ବ୍ୟାପିବା ଆଶଙ୍କା ବଢିଛି। ପୁଣେରେ ଜିକା ଭାଇରସର ପ୍ରଥମ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ସତର୍କ ଅବସ୍ଥାରେ ଅଛି ଏବଂ ୭୯ଟି ଗାଁରେ ଜିକା ଭାଇରସ ବ୍ୟାପିବାର ଆଶଙ୍କା ରହିଛି। ଜିକା ଭାଇରସ୍‌ ବିପଦକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ଏବେଠାରୁ ପ୍ରସ୍ତୁତିକୁ ଜୋରଦାର କରିଛି।
ସୂଚନାଯୋଗ୍ୟ, ପୁଣେର ବେଲସର ଗ୍ରାମରେ ଜିକା ଭାଇରସ୍‌ର ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି। ଜିକା ଭାଇରସର ପ୍ରଥମ ମାମଲା ରିପୋର୍ଟ ହେବା ପରେ ପୁଣେର ସ୍ବାସ୍ଥ୍ୟ ବିଭାଗ ଜିଲା ମାଜିଷ୍ଟ୍ରେଟଙ୍କ ସହ ଏକ ବୈଠକ କରିଥିଲା। ଏହି ବୈଠକ ପରେ ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ସ୍ଥାନୀୟ ପ୍ରଶାସନକୁ ସତର୍କ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ ପୁଣେର ୭୯ଟି ଗାଁରେ ଜିକା ଭାଇରସ୍‌ ବିସ୍ତାର ହେବାର ଆଶଙ୍କା ଅଧିକ ରହିଛି।
ଜିକା ଭାଇରସୁ ଏଡିସ ମଶା ଦ୍ୱାରା ବିସ୍ତାର ହୁଏ। ଏହି ମଶାମାନେ ଡେଙ୍ଗୁ ଏବଂ ଚିକୁନଗୁନିଆ ମଧ୍ୟ ବିସ୍ତାର କରନ୍ତି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଯଦି ଜଣେ ବ୍ୟକ୍ତି ଡେଙ୍ଗୁ, ଚିକନୁଗୁନିଆ ଲକ୍ଷଣ ଦେଖାଏ, ତା’ହେଲେ ତାଙ୍କର ଜିକା ଭାଇରସ୍‌ ମଧ୍ୟ ପରୀକ୍ଷା କରାଯିବ। ପ୍ରଶାସନ କହିଛି ଯେ ଘରେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ ଏବଂ ଯେଉଁଠାରେ ମଶା ପ୍ରଜନନ କରିପାରିବେ ସେହି ସ୍ଥାନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

Share