Categories: ବାଣିଜ୍ୟ

ଅକ୍ଟୋବର ୨୭ରୁ ଆଇଏମ୍‌ସିର ୭ମ ସଂସ୍କରଣ

ଭୁବନେଶ୍ୱର,୧୪।୭ (ଅଭୟ ଦାଶ):ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ‘ଇଣ୍ଡିଆ ମୋବାଇଲ କଂଗ୍ରେସ’ (ଆଇଏମ୍‌ସି)ର ୭ମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୨୭ରୁ ୨୯ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ ସେଲ୍ୟୁଲାର୍‌ ଅପରେଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ସିଓଏଆଇ) ଓ ଟେଲି ଯୋଗାଯୋଗ ବିଭାଗ (ଡିଓଟି)ର ମିଳିତ ସହଯୋଗ ଏବଂ ଏସିଆର ପ୍ରିମିୟର ଡିଜିଟାଲ ଟେକ୍ନୋଲୋଜି ପ୍ରଦର୍ଶନୀ ‘ଆଇଏମ୍‌ସି-୨୩’ରେ ଗ୍ଲୋବାଲ ଡିଜିଟାଲ ଇନୋଭେଶନ ଶୀର୍ଷକ ବିଷୟବସ୍ତୁ ସହିତ ଆୟୋଜିତ ହେଉଛି। ଏପରିକି ଟେକ୍ନୋଲୋଜି ଇକୋସିଷ୍ଟମରେ ଶିଳ୍ପ, ସରକାର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ମୁଖ୍ୟ ହିତାଧିକାରୀଙ୍କ ପାଇଁ ଏହା ଏକ ଉପଯୁକ୍ତ ବୈଠକ ସ୍ଥଳୀ ଓ ପ୍ରଦର୍ଶନୀ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସେହିଭଳି ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ୧ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ, ୫୦୦୦ରୁ ଅଧିକ ସିଏକ୍ସଓ-ସ୍ତରର ପ୍ରତିନିଧି, ୩୫୦ରୁ ଅଧିକ ବକ୍ତା ଓ ୪୦୦ରୁ ଅଧିକ ପ୍ରଦର୍ଶନକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସିଓଏଆଇର ଅଧ୍ୟକ୍ଷ ପି.କେ ମିତ୍ତଲ କହିଛନ୍ତି, ଏସିଆର ଏହି ସର୍ବବୃହତ୍‌ ଟେଲିକମ୍‌ ଇଭେଣ୍ଟ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଟେକ୍‌ ଶିଳ୍ପ ପାଇଁ ଏକ ବଡ ସଫଳତା ହେବ। ବିଶେଷ କରି ଆଇଏମ୍‌ସି-୨୦୨୩ ରେ ବିଭିନ୍ନ ବି୨ଜି ଓ ବି୨ବି ଫୋରମ୍‌ ଓ ଇଣ୍ଡଷ୍ଟ୍ରି ରାଉଣ୍ଡ ଟେବୁଲ, ବୃହତ୍‌ ବିଶ୍ୱବିଦ୍ୟାଳୟ ଓ ଛାତ୍ରୀଛାତ୍ର ସମାରୋହ ଓ ଗ୍ଲୋବାଲ ବାୟର ଫୋରମ୍‌ଗୁଡିକର ଶୁଭାରମ୍ଭ କରିବାକୁ ଯୋଜନା ରଖିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଯୋଗାଯୋଗ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଇଏମ୍‌ସି ଦେଶରେ ଏକ ପ୍ରମୁଖ ଟେକ୍ନୋଲୋଜି ଇଭେଣ୍ଟ ଭାବେ ଉଭା ହୋଇଛି। ସେହିଭଳି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେଭୁସିନ୍‌ ଚୌହାନ କହିଛନ୍ତି, ଭାରତରେ ଟେଲିକମ୍‌ ଶିଳ୍ପ ବିଗତ କିଛି ବର୍ଷ ମଧ୍ୟରେ ବହୁ ମାତ୍ରାରେ ପରିବର୍ତ୍ତନ ହୋଇଛି ଏବଂ ଆଇଏମ୍‌ସି ମଧ୍ୟ ବିଶ୍ୱ ଓ ଏସିଆର ଏକ ପ୍ରିମିୟର ଟେକ୍ନୋଲୋଜି ଇଭେଣ୍ଟ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ସେହିପରି ଡିଓଟିର ଅତିରିକ୍ତ ସଚିବ ଭି.ଏଲ୍‌ କାନ୍ଥା ରାଓ କହିଛନ୍ତି, ଆଇଏମ୍‌ସି ହେଉଛି ଶିଳ୍ପ ଓ ସରକାରଙ୍କ ପାଇଁ ଏକ ପ୍ରତିଷ୍ଠିତ କାର୍ଯ୍ୟକ୍ରମ। ଚଳିତ ବର୍ଷ ଆମେ ଅଧିକ ଅନ୍ତର୍ଜାତୀୟ ଅଂଶଗ୍ରହଣର ଆଶା ରଖିଛୁ ଏବଂ ଅନ୍ୟ ସମ୍ବନ୍ଧିତ ଶିଳ୍ପଗୁଡିକୁ ମଧ୍ୟ ସମ୍ପୃକ୍ତ କରିବାକୁ ଚେଷ୍ଟା କରୁଛୁ।

Share