ବିଶ୍ୱରେ ୮.୪ କୋଟି ବିସ୍ଥାପିତ

ବର୍ଲିନ, ୧୨ା୧୧:ନିଜ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଥିବା ଲୋକଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୮.୪ କୋଟିରୁ ଊର୍ଦ୍ଧ୍ୱ ରହିଛି। ବିଶେଷ କରି ଆଫ୍ରିକା ମହାଦେଶରେ ହିଂସା ଏବଂ ସଂଘର୍ଷ ଯୋଗୁ ଏହି ସଂଖ୍ୟା ବୃଦ୍ଧି ପାଇଥିବା ଜାତିସଂଘ ଶରଣାର୍ଥୀ ଏଜେନ୍ସି ପକ୍ଷରୁ ଗୁରୁବାର କୁହାଯାଇଛି। ୨୦୨୦ ଶେଷ ସୁଦ୍ଧା ବିସ୍ଥାପିତଙ୍କ ସଂଖ୍ୟା ୮.୨ କୋଟିରେ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଦେଶରେ ହିଁ ବିସ୍ଥାପିତ ହୋଇଛନ୍ତି ବୋଲି ୟୁନାଇଟେଡ୍‌ ନେଶନ ହାଇ କମିଶନର ଫର୍‌ ରେଫ୍ୟୁଜି (ୟୁଏନ୍‌ଏଚ୍‌ସିଆର୍‌)ର ମୁଖ୍ୟ ଫିଲିପୋ ଗ୍ରାଣ୍ଡି ଏକ ବିବୃତିରେ କହିଛନ୍ତି। ହିଂସା, ନିର୍ଯାତନା, ମାନବାଧିକାର ଉଲ୍ଲଂଘନ ଆଦିରେ ରୋକ ଲଗାଇବାରେ ଅନ୍ତର୍ଜାତୀୟ ସମୁଦାୟର ବିଫଳତା ଯୋଗୁ ବିସ୍ଥାପିତ ଏବଂ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ୁଛି ବୋଲି ସେ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଜଳବାୟୁ ପରିବର୍ତ୍ତନ ମଧ୍ୟ ଲୋକଙ୍କୁ ଘର ଛାଡ଼ିବାକୁ ବାଧ୍ୟ କରିଛି।
ୟୁଏନ୍‌ଏଚ୍‌ସିଆର୍‌ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ମଧ୍ୟଭାଗ ସୁଦ୍ଧା ଏହା ୨ କୋଟି ୮୦ ଲକ୍ଷ ଲୋକଙ୍କୁ ଶରଣାର୍ଥୀ ତାଲିକାଭୁକ୍ତ କରିଛି, ଯାହା କି ଗତବର୍ଷଠାରୁ ୧ ଲକ୍ଷ ୭୨ ହଜାର ଅଧିକ। ଆହୁରି ୪୪ ଲକ୍ଷ ଲୋକ ଏବେ ଶରଣ ଆଶାରେ। ୨୦୨୧ ପ୍ରଥମାର୍ଦ୍ଧରେ ପ୍ରାୟ ୧୧ ଲକ୍ଷ ଲୋକ ସେମାନଙ୍କ ଘରକୁ ଫେରିଛନ୍ତି। ଗତ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ୩୩ଟି ଦେଶରେ ରେକର୍ଡ ସଂଖ୍ୟାରେ ୪୩ ଲକ୍ଷ ସେମାନଙ୍କ ଘର ଛାଡ଼ିଛନ୍ତି। କଙ୍ଗୋ, ଇଥିଓପିଆ, ଆଫଗାନିସ୍ତାନ, ମୋଜାମ୍ବିକ, ମ୍ୟାନମାର, ଦକ୍ଷିଣ ସୁଦାନ ସମେତ ପଶ୍ଚିମ ଆଫ୍ରିକାର ଅନେକ ଦେଶରେ ହିଂସା ବୃଦ୍ଧି ଯୋଗୁ ଶରଣାର୍ଥୀଙ୍କ ସଂଖ୍ୟା ବ୍ୟାପକ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି।

Share