ଭଦ୍ରକ ତୁମୁଳକାଣ୍ଡର ୭ ଅଭିଯୁକ୍ତ ଗିରଫ: ଏସ୍‌ପି କହିଲେ…

ଭଦ୍ରକ,୨୮।୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଥିଲେ। ଏଥିରେ ୨ ପୋଲିସ ଅଧିକାରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ିକୁ ଭାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ କରିଥିଲା। ଉପୁଜିଥିବା ଏହି ତୁମୁଳକାଣ୍ଡ ଘଟଣାରେ ପୋଲିସ ଶନିବାର ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିବା ଅଭିଯୁକ୍ତ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି। ଏନେଇ ଭଦ୍ରକ ଏସ୍‌ପି ସୂଚନା ଦେଇଛନ୍ତି।

ଏଥି ସହିତ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୋଲିସ ଛାନଭିନ ଜାରି ରଖିଛି। ଭଦ୍ରକ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ନଜର ରଖିଥିବା ବେଳେ ଫୋର୍ସ ମୁତୟନ କରାଯାଇଛି। ଏଥି ସହିତ ସନ୍ଥିଆରେ ୧୬୩ ଧାରା ଲାଗୁ କରିଛି। ସହରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ସ୍ଥଗିତ ରଖିଛି।

ଅନ୍ୟପକ୍ଷେ ଭଦ୍ରକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଜନସାଧାରଣ ନିକଟରେ ଅପିଲ କରିଛନ୍ତି। ସେ ଭଦ୍ରକ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଭଦ୍ରକ ଏମ୍‌ପି, ବିଧାୟକ, ଡିଆଇଜିଙ୍କ ସହ ସ୍ଥିତି ଉପରେ ଆଲୋଚନା କରିଛନ୍ତି।

ସୂଚନା ଯୋଗ୍ୟ, ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଯୁବକ ଗୁରୁବାର ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଏକ ପୋଷ୍ଟ କରିଥିଲେ। ଏହାକୁ ବିରୋଧ କରି ସଂଖ୍ୟାଲଘୁ ସମ୍ପ୍ରଦାୟର କେତେକ ବ୍ୟକ୍ତି ପୁରୁଣାବଜାର ଥାନାରେ ଅଭିଯୋଗ କରିବା ସହ ଉକ୍ତ ଯୁବକଙ୍କୁ ଗିରଫ ପାଇଁ ଦାବି କରିଥିଲେ। ୨ ଦିନ ଭିତରେ ଉକ୍ତ ଯୁବକଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ପୋଷ୍ଟ କରିଥିବା ଯୁବକ ଜଣକ ସୋସିଆଲ ମିଡିଆରେ ପୁନର୍ବାର କିଛି ମେସେଜ କରିବା ପରେ ଶୁକ୍ରବାର ଅପରାହ୍ନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ଯୁବକ ଏକଜୁଟ ହୋଇ ଭଦ୍ରକ ସହର ଆଡ଼କୁ ଆସୁଥିବା ପୋଲିସ ଖବର ପାଇଥିଲା।

ସନ୍ଥିଆ ପୋଲ ନିକଟରେ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଓ ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ ପହଞ୍ଚି ସେମାନଙ୍କୁ ଅଟକାଇଥିଲେ। ସେମାନେ ଉକ୍ତ ଯୁବକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଅଡ଼ି ବସିବା ସହ ଟାୟାର ଜାଳି ସନ୍ଥିଆ ପୋଲ ନିକଟରେ ରାସ୍ତା ଅବରୋଧ କରିଥିଲେ।

ସେତିକିବେଳେ ପୋଲିସ ସହ ଯୁକ୍ତିତର୍କ ଏବଂ ଠେଲାପେଲା ହେବାରୁ ପୋଲିସ ଲାଠି ଧରି ସେମାନଙ୍କୁ ଘଉଡ଼ାଇଥିଲା। ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଇଟାପଥର ମାଡ଼ କରିବାରୁ ଟାଉନ ଥାନା ଏସ୍‌ଆଇ ରୋଜେନ ମୁର୍ମୁଙ୍କ ମୁଣ୍ଡ ଫାଟିବା ସହ ଗୁରୁତର ଆହତ ହୋଇଛନ୍ତି। ସିଟି ଡିଏସ୍‌ପି ଦ୍ୱିବେଦୀ ବୁଝାଶୁଝା କରୁଥିବା ବେଳେ ଆକ୍ରମଣରେ ଆହତ ହୋଇଥିଲେ।

Share