୮ ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର, ୧୮।୧୧(ସୁନିତ୍‌ ମିଶ୍ର): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ୧୨୪ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩୯୭.୧୮ କୋଟି ଟଙ୍କାର ୮ଟି ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ୬ ଜିଲାରେ ଏହିସବୁ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ଲାଷ୍ଟିକ୍‌ କ୍ଷେତ୍ରରେ ସିଣ୍ଟେକ୍ସ ବିଏପିଏଲ୍‌ ଲିମିଟେଡ୍‌ ସିପିଭିସି, ୟୁପିଭିସି, ଏସ୍‌ଡବ୍ଲ୍ୟୁଆର୍‌,ଏଗ୍ରି ପାଇପ୍‌, ପିଭିସି ଫିଟିଂ ଏବଂ ପ୍ଲାଷ୍ଟିକ୍‌ ଟାଙ୍କିର ବାର୍ଷିକ ୩୭,୫୨୦ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା ନିମନ୍ତେ ୪୭୯.୪୭ କୋଟି ଟଙ୍କା ବିନିଯୋଗ କରିବ। ଏହାଦ୍ୱାରା ସମ୍ବଲପୁରରେ ୧୦୦୦ ଜଣଙ୍କୁ ନିଯୁକ୍ତି ମିଳିବ। ଏହାସହ ପିଭିସି ଓ ସିପିଭିସି ପାଇପ୍‌ ଉତ୍ପାଦନ ୟୁନିଟ୍‌ ସ୍ଥାପନ ପାଇଁ ଏଚ୍‌ଆଇଏଲ୍‌ ଇଣ୍ଡିଆ ୨୫୦ କୋଟି ଟଙ୍କା ବିନିଯୋଗ କରିବ। ଏହାଦ୍ୱାରା ୨୭୫ ଲୋକଙ୍କ ପାଇଁ ନିଯୁକ୍ତି ସୁବିଧା ସୃଷ୍ଟି ହେବ। ସେହିପରି ମେଗା ଫ୍ଲେକ୍ସ ପ୍ଲାଷ୍ଟିକ୍‌ ଲିମିଟେଡ୍‌ ପ୍ଲାଷ୍ଟିକ୍‌ କଣ୍ଟେନର, ଲେନୋ ବ୍ୟାଗ୍‌, ପିପି ୱେନ୍‌ ବ୍ୟାଗ୍‌, ପିପି ୱେନ୍‌ ଫେବ୍ରିକ୍ସ ଆଣ୍ଡ କୋରଗେଟେଡ୍‌ ବକ୍ସ ପାଇଁ ୬୨.୩୮ କୋଟି ଟଙ୍କା ବିନିଯୋଗରେ ୯୬୦୦ ମେଟ୍ରିକ୍‌ ଟନ୍‌ ବାର୍ଷିକ କ୍ଷମତା ବିଶିଷ୍ଟ ଏହାର ଉତ୍ପାଦନ ୟୁନିଟ୍‌ ଖୋର୍ଦ୍ଧାରେ କରିବ। ଏହି ଉଦ୍ୟୋଗ ୩୮୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସାନ୍ଧୁ ଟ୍ୟୁବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ କେଏଆଇ ଷ୍ଟିଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଭଳି ଉଲ୍ଲେଖନୀୟ କମ୍ପାନୀଗୁଡ଼ିକର ପୁଞ୍ଜିନିବେଶ ଯୋଗୁ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଯାଜପୁର ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ଏହି ଦୁଇ କମ୍ପାନୀ ପ୍ରାୟ ୧୮୮.୯୮ କୋଟି ଟଙ୍କା ନିବେଶ କରିଛନ୍ତି। ଡାଉନ୍‌ ଷ୍ଟ୍ରିମ୍‌ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ରାଜ୍ୟର ୪୦୩ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ। ବିଶେଷକରି ସମ୍ବଲପୁରରେ ଏକ ହ୍ବାଇଟ୍‌ ଫ୍ୟୁଜ୍‌ ଆଲୁମିନା ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା ପାଇଁ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଆଲୁମିନିୟମ କ୍ଷେତ୍ରରେ ୨୪୧.୦୫ କୋଟି ଟଙ୍କା ନିବେଶ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ନିବେଶ ଦ୍ୱାରା ୨୧୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଇଟି ଶିଳ୍ପରେ ଅନୁଜ ଅଟୋଗ୍ରାଫ୍‌ ବିଜ୍‌ନେସ୍‌ ପାର୍କ ଖୋର୍ଦ୍ଧାରେ ୧୦୫.୩ କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ୩୦୦ ନିଯୁକ୍ତି ସମ୍ଭାବନା ସହ ଏକ ଆଇଟି ପାର୍କ ସ୍ଥାପନ କରୁଛି। କୃଷି ଶିଳ୍ପ କ୍ଷେତ୍ରରେ ଜିଜିଏଲ୍‌ ଚାଲେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କୋରାପୁଟରେ ଭେନିର(ବାର୍ଷିକ ୨,୫୦,୦୦,୦୦୦ ଏସ୍‌ କ୍ୟୁଏମ୍‌), ପ୍ଲାଇ ବୋର୍ଡ ଏବଂ ପାର୍ଟିକଲ୍‌ ବୋର୍ଡ (ବାର୍ଷିକ ୫,୦୦,୦୦୦ ଏସ୍‌କ୍ୟୁଏମ୍‌) ଏବଂ ବାୟୋମାସ୍‌ ପେଲେଟ୍‌ (୧୦,୦୦,୦୦୦ ଏମ୍‌ଟିପିଏ) ଉତ୍ପାଦନ ୟୁନିଟ୍‌ରେ ୭୦ କୋଟି ଟଙ୍କା ନିବେଶ କରିବେ। ଏ ସମସ୍ତ ୟୁନିଟ୍‌ରେ ପ୍ରାୟ ୨୯୦ ମିଳିତ ନିଯୁକ୍ତି ସୃଷ୍ଟି ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି।

Share