ଅହମ୍ମଦାବାଦ,୩୧।୩: ଗୁଜୁରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇବା ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ‘ମୋଦି ହାଟାଓ, ଦେଶ ବଞ୍ଚାଓ’ର ପୋଷ୍ଟର ଲଗାଯାଇଥିଲା। ତେବେ ମାମଲା ରୁଜୁ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମ ଆଦମୀ ପାର୍ଟି (ଏଏପି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଶବ୍ୟାପୀ ପୋଷ୍ଟର ଅଭିଯାନ ଆରମ୍ଭ କରିବାର ଗୋଟିଏ ଦିନ ପରେ ଏହି ଗିରଫଦାରୀ ଘଟିଛି।
ଏଏପି ସାରା ଦେଶରେ ୧୧ଟି ଭାଷାରେ ‘ମୋଦି ହାଟାଓ, ଦେଶ ବଞ୍ଚାଓ’ ପୋଷ୍ଟର ଅଭିଯାନ ଆରମ୍ଭ କରିଛି। ଇଂରାଜୀ, ହିନ୍ଦୀ ଏବଂ ଉର୍ଦ୍ଦୁ ବ୍ୟତୀତ ଗୁଜୁରାଟୀ, ପଞ୍ଜାବୀ, ତେଲୁଗୁ, ବଙ୍ଗାଳୀ, ଓଡିଆ, କନ୍ନଡ, ମାଲାୟାଲମ ଏବଂ ମରାଠୀରେ ମଧ୍ୟ ପୋଷ୍ଟର ଜାରି କରାଯାଇଛି।
ଗତ ସପ୍ତାହରେ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହି ପୋଷ୍ଟର ଲାଗାଯାଇଥିଲା। ଯାହା ପରେ ପୋଲିସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇ ୪୯ଟି ଏଫଆଇଆର୍ ପଞ୍ଜୀକୃତ କରି ୬ ଜଣଙ୍କୁ ଗିରଫ କରିଥିଲା। ତେବେ ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଦୁଇଜଣ ପ୍ରିଣ୍ଟିଂ ପ୍ରେସ୍ର ମାଲିକ ଥିଲେ।