ଆନ୍ତଃଜିଲା ଚୋର ଗ୍ୟାଙ୍ଗ ଠାବ, ୮ଗିରଫ

ବରଗଡ଼,୧୫।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଏକ ଆନ୍ତଃରାଜ୍ୟ ଚୋରିଗ୍ୟାଙ୍ଗଙ୍କୁ ଗିରଫ କରିଛି। ପୋଲିସ ସମୂଦାୟ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୬ ଅଭିଯୁକ୍ତ ଚୋରିଗ୍ୟାଙ୍ଗର ହୋଇଥିବାବେଳେ ଅନ୍ୟ ୨ଜଣ ଚୋରି ସାମଗ୍ରୀ ଗ୍ରହଣ କରି ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପଣ୍ଡରିପଥର ନିବାସୀ ଗଙ୍ଗା ହନୁମାନ (୨୭), ବରଗଡ଼ ଜିଲା ଅମ୍ବାଭୋନା ଥାନା ମେଣ୍ଢାପାଲି ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ଟାଉନ ଥାନା ଗୋବିନ୍ଦପାଲିର ସୁବ୍ରତ ଚନ୍ଦ୍ର ଦାଶ(୩୨), ବରଗଡ଼ ୱାର୍ଡ଼ ନଂ.୨ ଅନ୍ତର୍ଗତ ନିଲିବନ୍ଧପଡ଼ାର ସୋନୁ ସାହୁ(୨୧), ସହରାପଡ଼ା ନିବାସୀ ବିକାଶ ମଟାରୀ(୩୦), ତୋରା କୈଲାଶନଗର ନିବାସୀ ଜି. ରବି ପ୍ରସାଦ (୪୦), ବରଗଡ଼ ମନାବନ୍ଧ ପଡ଼ା ନିବାସୀ ମାନସ କୁମାର ମଲ୍ଲିକ(୩୮), ବରଗଡ଼ ଶିବାନନ୍ଦ ନଗର ନିବାସୀ ଗୋବିନ୍ଦ ବର୍ମାନ(୩୨) ଏବଂ ବରଗଡ଼ ଖଜୁରଟିକ୍ରା ନିବାସୀ ସୌରଭ ପ୍ରତୀକ ବର୍ମନ(୩୦)। ଗୋବିନ୍ଦ ଏବଂ ସୌରଭ ଚୋରି କରି ନ ଥିବାବେଳେ ସେମାନେ ଚୋରି ସାମଗ୍ରୀ ଗ୍ରହଣ କରିଥିଲେ ବୋଲି ପୋଲିସ କହିଛି। ସେମାନଙ୍କ ପାଖରୁ ୮୨ ଗ୍ରାମର ସୁନା, ୩ କି.ଗ୍ରା ୭୨୦ଗ୍ରାମର ରୁପା ଅଳଙ୍କାର, ଏକ କାର୍‌ (ନଂ. ଓଆର୦୨ଏଟି ୮୧୮୫), ୨ ଆକ୍ଟଭା ସ୍କୁଟି (ଓଡି୧୭ଜେଢ୍‌ ୧୯୫୦, ଓଡି୧୭ଏବି ୫୨୫୩), ଗୋଟିଏ ଡିଓ ସ୍କୁଟି(ନଂ-ଓଡି୧୭ଏଚ୍‌ ୩୦୬ଏକ୍ସ), ଗୋଟିଏ ଗ୍ଲାମର ବାଇକ୍‌ (ଓଡି୧୭ଜି ୭୭୨୮), ଗୋଟିଏ ୟାମାହା ଏଫଜେଡ୍‌ (ନଂ-ଓଡି୧୭ଏଏ ୬୮୨୬), ଗୋଟିଏ ସାଇକେଲ, ୨ଟି ଟିଭି, ୨ଟି ଲାପଟପ୍‌, ଇନଭର୍ଟର, ବ୍ୟାଟେରି, ବ୍ରୋଞ୍ଜ ନିର୍ମିତ ଶ୍ରୀକୃଷ୍ଣଙ୍କ ମୂତ୍ତି, ଦାନବାକ୍ସ, ସିଲେଇ ମେଶିନ, ପ୍ରିଣ୍ଟର, ପଙ୍ଖା, ଇଣ୍ଡକ୍ସନ ହିଟର ଆଦି ଜବତ ହୋଇଛି। ଏ ନେଇ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଏସ୍‌ପି ପି. ଏସ୍‌ ମୀନା ସୂଚନା ଦେଇ କହିଥିଲେ, ଗିରଫମାନେ ଗତ ୩ ମାସ ହେଲା ଜିଲାର ବରଗଡ଼ ଟାଉନ ଥାନା, ବରଗଡ଼ ଗ୍ରାମାଞ୍ଚଳ ଥାନା, ଅତାବିରା ଥାନା, ବରପାଲି ଥାନାର ବିଭିନ୍ନ ସ୍ଥାନରେ ଚୋରି, ରାହାଜାନୀ କରି ଆସୁଥିଲେ। ସେମାନଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇ ପଡ଼ିଥିଲା। ତେବେ ସେହି ଗ୍ୟାଙ୍ଗକୁ ଧରିବା ପାଇଁ ଜିଲା ପୋଲିସ ପକ୍ଷରୁ ୩ଟିମ୍‌ ଗଠନ କରାଯାଇଥିଲା। ଉକ୍ତ ଟିମ୍‌ ଚୋରି, ରାହାଜାନୀ ଘଟଣାର ବିଭନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରି ଚୋରିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଥିଲା। ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ୨, ବରଗଡ଼ ଗ୍ରାମାଞ୍ଚଳ ଥାନାରେ ୩, ଅତାବିରା ଥାନାରେ ୪ ଏବଂ ବରଗଡ଼ ସଦର ଓ ବରପାଲି ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଜିଲାରେ ଅପରାଧ ରୋକିବା ପାଇଁ ଜିଲାରେ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି ବୋଲି ଏସପି କହିଛନ୍ତି। ସନ୍ଦିଗ୍ଧ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଉ ଥିବାବେଳେ ପାଟ୍ରୋଲିଂ କଡ଼ାକଡ଼ି କରାଯାଉଛି ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ସଚେତନ ନାଗରିକଙ୍କ ସହିତ ପୋଳିସର ବୈଠକ ମଧ୍ୟ ବିଭିନ୍ନ ଗ୍ରାମରେ ଚାଲିଥିବା ଏସ୍‌ପି ମୀନା ପ୍ରକାଶ କରିଛନ୍ତି।

Share