ତାଇଓ୍ବାନ ଆକାଶ ମାର୍ଗ ସୀମାରେ ପ୍ରବେଶ କଲା ୮ ଚାଇନା ଯୁଦ୍ଧ ବିମାନ…

ବେଜିଂ/ତାଇପେ,୪।୭ : ଚାଇନା ଏହାର ଦାଦାଗିରି ଜାରି ରଖିଛି। ଏବେ ପୁଣି ଥରେ ଚାଇନାର ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରାଇଟର କେନ୍ଦ୍ର ରେଖା ଅତିକ୍ରମ କରିଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଚାଇନା ଗଣତାନ୍ତ୍ରିକ ଦ୍ୱୀପରେ ସାମରିକ ଚାପ ବଢ଼ାଇବା ଲାଗି ମଙ୍ଗଳବାର ସକାଳେ ଆଠଟି ଚାଇନା ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରାଇଟର ସେଣ୍ଟର୍‌ ଲାଇନ ଅତିକ୍ରମ କରିଛି।

ଚାଇନା ସାମରିକ ବିମାନ ତାଇୱାନ ଉପରେ ପ୍ରାୟ ପ୍ରତିଦିନ ଉଡିଥା। ସାଧାରଣତଃ ତାଇୱାନର ବାୟୁ ପ୍ରତିରକ୍ଷା ଜୋନର ଦକ୍ଷିଣ-ପଶ୍ଚିମ ଭାଗରେ ଚାଇନା ଏହାର ବିମାନ ଉଡ଼ାଣ କରିଥାଏ।

ମଙ୍ଗଳବାର ସକାଳ ପ୍ରାୟ ୮ ଟା ସମୟରେ ତାଇୱାନ ନିକଟରେ ଯୁଦ୍ଧ ବିମାନ ଏବଂ ବୋମା ବିସ୍ଫୋରଣକାରୀଙ୍କ ସମେତ ମୋଟ ୨୪ଟି ଚାଇନା ଯୁଦ୍ଧ ବିମାନ ଦେଖିବାକୁ ମିଳିଥିଲା। ଚାରିଟି ଚାଇନା ଯୁଦ୍ଧପୋତ ମଧ୍ୟ ମିଳିତ ପାଟ୍ରୋଲିଂରେ ଯୋଗ ଦେଇଥିଲା।

ଏହାର ପ୍ରତିକ୍ରିୟାରେ ମନ୍ତ୍ରଣାଳୟ କହିଛି ଚାଇନାକୁ ଚେତାବନୀ ଦେବା ପାଇଁ ତାଇୱାନ ବିମାନ ଏବଂ ଜାହାଜ ପଠାଇଥିବାବେଳେ କ୍ଷେପଣାସ୍ତ୍ର ପ୍ରଣାଳୀ ସେମାନଙ୍କ ଉପରେ ନଜର ରଖିଛି। ମନ୍ତ୍ରଣାଳୟ ଅନୁଯାୟୀ ଏହି ଅଞ୍ଚଳରେ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ସମସ୍ତଙ୍କ ଦାୟିତ୍ୱ ଅଟେ। ଆଞ୍ଚଳିକ ସୁରକ୍ଷାକୁ ପ୍ରଭାବିତ କରୁଥିବା ଉତ୍ତେଜନାମୂଳକ ଆଚରଣ ଭଲ ନୁହେଁ ବୋଲି ତାଇଓ୍ବାନ କହିଛି।

Share