୪୦ ଡିଗ୍ରୀ ଛୁଇଁଲା ୮ ସହର: ଉଷ୍ମରାତି ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨/୪(ଅନିଲ ଦାସ):ରାଜ୍ୟରେ ୨୪ ଘଣ୍ଟାର ବ୍ରେକ୍‌ ପରେ ପୁଣି ବଢ଼ିଛି ତାପମାତ୍ରା। ଅସମ୍ଭାଳ ଖରାତାତି ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଖାଲି ଦିନ ନୁହେଁ, ରାତ୍ରିର ତାପମାତ୍ରା ମଧ୍ୟ ଅଧିକ ରହୁଛି। ସୋମବାର ୮ ସହରରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଝାରସୁଗୁଡ଼ା ଓ ବାରିପଦାରେ ସର୍ବାଧିକ ୪୦.୪ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୪୦.୩, ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ଛୁଇଁଛି ପାରଦ। ସେହିଭଳି ଚାନ୍ଦବାଲିରେ ୩୯.୬, ଅନୁଗୋଳରେ ୩୯.୭, ଯାଜପୁରରେ ୩୯.୫, ପାରଳାଖେମୁଣ୍ଡି ୩୯.୬, ଢେଙ୍କାନାଳ ୩୯.୫, ଭୁବନେଶ୍ୱର ଓ କଟକରେ ୩୯.୪, ଯାଜପୁର ୩୯.୨ ଓ ରାୟଗଡ଼ାରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗକୁ ସ୍ଥିତି ଆହୁରି ବିଗିଡ଼ିଯିବ। ବିଶେଷକରି ଜୁନ୍‌ ଶେଷଯାଏ ୩ ମାସ ଲୋକେ ଅସହ୍ୟ ଗରମରେ କଲବଲ ପରିସ୍ଥିତିର ସମ୍ମୁଖୀନ ହେବେ।
ଚଳିତ ଏପ୍ରିଲରେ ସ୍ବାଭାବିକଠାରୁ ଦିନ ତାପମାତ୍ରା ଅଧିକ ରହିବା ସହ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା ମଧ୍ୟ ଅଧିକ ରହିବା ସମ୍ଭାବନା ରହିଛି। ତେଣୁ ଏଥର ଅସ୍ବାଭାବିକ ପାଣିପାଗ ସହ ଉଷ୍ମଆର୍ଦ୍ର ସ୍ଥିତି ଏବଂ ଉଷ୍ମରାତ୍ରି ସଂଖ୍ୟା ଅଧିକ ଅନୁଭୂତ ହେବ।
ଆସନ୍ତା ୪ଦିନ ରାଜ୍ୟର ବିଭିନ୍ନ ଜିଲାରେ ରାତ୍ରି ତାପମାତ୍ରା ଅଧିକ ରହିବ। ଏଥିପାଇଁ ସେସବୁ ଜିଲାକୁ ଉଷ୍ମରାତ୍ରି (ଓ୍ବାର୍ମ ନାଇଟ୍‌) ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର ଏବଂ ମାଲକାନଗିରି ଜିଲାକୁ ଉଷ୍ମରାତ୍ରି ପାଇଁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସାଧାରଣତଃ ରାତିର ସର୍ବାଧିକ ତାପମାତ୍ରା ଯେତେବେଳେ ୪୦ ଡିଗ୍ରୀ ହୋଇଥାଏ ବା ଡେଇଁଥାଏ, ତାହାକୁ ଉଷ୍ମରାତ୍ରି ବୋଲି କୁହାଯାଇଥାଏ। ସେହିଭଳି ୪ ଓ ୫ ତାରିଖ ଯାଜପୁର, ଭଦ୍ରକ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଏବଂ କଟକ ଜିଲାର କିଛି ସ୍ଥାନରେ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି।

Share