୮ କୋଟିର ରାସ୍ତା ୩ ମାସରେ ଫାଟିଗଲା

ବଇଣ୍ଡା,୨।୭(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଜରପଡାଠାରୁ ମନ୍ଦରବାହାଳ ଗ୍ରାମକୁ ସଂଯୋଗୀକରଣ ପାଇଁ ନିର୍ମାଣ ହୋଇଥିବା ପିଚୁ ରାସ୍ତା ଫାଟି ଅଁା କରିଛି। ୮ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ରାସ୍ତା ମାତ୍ର ୩ ମାସ ନ ଯାଉଣୁ ଫାଟିଯବା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ରାସ୍ତା ଅବସ୍ଥା ଏପରି ହୋଇଥିବା ଜରପଡା ଗ୍ରାମବାସୀ ଶୁକ୍ରବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ଦର୍ଶାଇଛନ୍ତି, ଜରପଡାରୁ ମନ୍ଦରବାହାଳ ପର୍ଯ୍ୟନ୍ତ ଥିବା ମାଟି ରାସ୍ତାକୁ ପିଚୁରେ ପରିଣତ କରିବା ପାଇଁ ଅଞ୍ଚଳବାସୀ ବହୁବାର ସରକାରଙ୍କଠାରେ ଦାବି କରିଥିଲେ। ପରେ ସରକାର ଉକ୍ତ ୯ କି.ମି. ରାସ୍ତାକୁ ପୂର୍ତ୍ତ ବିଭାଗ ଅଧୀନକୁ ଆଣି ପିଚୁ କରିବାକୁ ୮ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ୨୦୨୧ ମସିହାରୁ ଉକ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ୨୩ ମାର୍ଚ୍ଚ ୨୦୨୩ରେ ଶେଷ ହୋଇଥିଲା। ଏପ୍ରିଲ ପ୍ରଥମ ସପ୍ତାହରେ ଉକ୍ତ ରାସ୍ତାରେ ଗାଡି ଯାତାୟାତ କରିଥିଲା। ହେଲେ କାମ ସରିବାର ୩ ମାସ ନ ପୂରୁଣୁ ରାସ୍ତାର ଅନେକ ସ୍ଥାନ ଫାଟି ଆଁ କରିଛି। ଜରପଡାଠାରୁ ୧୦୦ ମିଟର ଦୂରରେ ଏହି ରାସ୍ତା ଫାଟି ଯାଇଥିବାବେଳେ ନିର୍ମାଣକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ମଧ୍ୟରେ ସଲାସୁତରା ଯୋଗୁ ରାସ୍ତା କାମ ଏଭଳି ହୋଇଥିବା ଜରପଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ବିଭାଗୀୟ ଅଧିକାରୀମାନେ ନିର୍ମାଣ ବେଳେ ଆବଶ୍ୟକ ତଦାରଖ କରି ନ ଥିବାରୁ ଏଭଳି ନିମ୍ନମାନର କାମ କରାଯାଇଥିବା ମନ୍ଦରବାହାଳ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଉକ୍ତ ନିର୍ମାଣ କାମର ଭିଜିଲାନ୍ସ ତଦନ୍ତ କରିବା ପାଇଁ ମନ୍ଦରବାହାଳ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ କାଶୀନାଥ ମଲିକ କହିଛନ୍ତି, ଘଟଣାର ତଦାରଖ କରିବା ସହ ସମସ୍ୟା ସମାଧାନ କରାଯିବ।