ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଅଘଟଣ, ଚାଲିଗଲା ୮ ଜୀବନ

ୟାଓଣ୍ଡେ,୨୫।୧: କାମେରୁନିଆନ ଫୁଟ୍‌ବଲ ଷ୍ଟାଡିୟମରେ ସୋମବାର ଆୟୋଜିତ ଆଫ୍ରିକା କପ୍‌ ଅଫ୍‌ ନେଶନ୍ସ ମ୍ୟାଚ୍‌ ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି।

ଓଲେମ୍‌ବେ ଷ୍ଟାଡିୟମରେ ଏକାଥରକେ ୬୦ ହଜାର ଦର୍ଶକ ବସି ପାରିବେ। ମାତ୍ର କୋଭିଡ୍‌-୧୯ କାରଣରୁ ଦର୍ଶକଙ୍କ କ୍ଷମତାକୁ ୬୦ ପ୍ରତିଶତ ହ୍ରାସ କରି ଦିଆଯାଇଥିଲା। କିନ୍ତୁ କାମେରୁନର ଇଣ୍ଡୋମିଟେବଲ ଲାୟନ୍ସ ଦଳର ମ୍ୟାଚ୍‌ ପାଇଁ ଦର୍ଶକଙ୍କ ସଂଖ୍ୟାକୁ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।

ଷ୍ଟାଡିୟମରେ ଓ ବାହାରେ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଦଳାଚକଟା ଯୋଗୁ ୨ ମହିଳା ଓ ଜଣେ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ପୀଡ଼ିତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଜରିଆରେ ନିଆଯାଇଥିଲା। କିନ୍ତୁ ଅତ୍ୟଧିକ ଟ୍ରାଫିକ ଯୋଗୁ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ୫୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share