ଦକ୍ଷିଣପୂର୍ବ ରେଳପଥ ଅଣ୍ଡରପାସ୍‌ରେ ୮ଫୁଟ୍‌ ପାଣି

କୁଚିଣ୍ଡା,୩ା୮(ବିରଞ୍ଚତ୍ ଦର୍କା): ଲଗାଣ ବର୍ଷା ଯୋଗୁ ସମ୍ବଲପୁର ଜିଲା ବାମରା ଦକ୍ଷିଣପୂର୍ବ ରେଳପଥ (ନଂ.୪୭୩/୧୧) ଖମ୍ବସ୍ଥିତ ଅଣ୍ଡରପାସ୍‌ରେ ୮ଫୁଟ୍‌ର ପାଣି ଜମିଛି। ଫଳରେ ଉଚ୍ଚକାପାଟ ଓ ବାଉଁଶଲଗା ପଞ୍ଚାୟତର ଲୋକଙ୍କ ଯିବାଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପଞ୍ଚାୟତରୁ ମିଳୁଥିବା ଭତ୍ତା, ରାଶନ ଆଦି ଆଣିବା ପାଇଁ ଜନସାଧାରଣଙ୍କ ଏହା ହେଉଛି ଏକମାତ୍ର ରାସ୍ତା।

ଅଣ୍ଡରପାସରେ ପାଣି ଜମିବା କାରଣରୁ ବିଭିନ୍ନ ସମୟରେ ଯାତାୟାତ କରୁଥିବା ଯାନବାହନ ଫସିଯାଉଥିବା ଦେଖିବାକୁ ମିଳୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ରେଳ ବିଭାଗର କୌଣସି ଅଧିକାରୀ ପରିଦର୍ଶନରେ ବି ଆସୁ ନାହାନ୍ତି। ଜନସାଧାରଣଙ୍କ ଯାତାୟାତ ଓ ସୁବିଧା ପାଇଁ ପୁରୁଣା ଫାଟକ ଖୋଲିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ନଚେତ ଆସନ୍ତା ୧୦ତାରିଖରେ ଏହି ଫାଟକକୁ ବାଧ୍ୟ ହୋଇ ଖୋଲିବେ ବୋଲି ବାମରା ବ୍ଲକ କୃଷକ ସଂଗଠନ ଆବାହକ ଯୋଗବିହାରୀ ପରିଡା କହିଛନ୍ତି। ପ୍ରକାଶଥାଉ କି ଏହି ଅଣ୍ଡରପାସ୍‌ ନିର୍ମାଣ ଆରମ୍ଭରୁ ଏଭଳି ପାଣି ଜମିବା ସମସ୍ୟା ଦେଖାଦେଇଛି।

Share