Advertisement

କୋଟଗଡ଼ରେ ବିଜୁଳି ସମସ୍ୟା ନେଇ ୮ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

କୋଟଗଡ଼,୩୧।୫(ଡି.ଏନ.ଏ): ଦିନକୁ ଦିନ କନ୍ଧମାଳ ଜିଲାରେ ବିଦ୍ୟୁତ୍‌ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳର ବିଦ୍ୟୁତ୍‌ ଉପଭୋକ୍ତା ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ବୁଧବାର କୋଟଗଡ଼ରେ ଆଠ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରୁଛନ୍ତି ଅଞ୍ଚଳବାସୀ । ସକାଳୁ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମେତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ସ୍ବାଭାବିକ ରହିଥିବା ଦେଖିବାକୁ ମିଳିଛି। ଅଞ୍ଚଳରେ ବିଭିନ୍ନ ସମୟରେ ଅଘୋଷିତ ବିଦ୍ୟୁତ୍‌ କାଟ ସାଙ୍ଗକୁ ଲୋ ଭୋଲଟେଜ ସମସ୍ୟା କାରଣରୁ ଅଞ୍ଚଳବାସୀ ଦୈନନ୍ଦିନ ଜୀବନରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସେପଟେ ବିଦ୍ୟୁତ୍‌ ସମସ୍ୟା କାରଣରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହେଉଥିବା ମଧ୍ୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍‌ ସମସ୍ୟାର କୌଣଶି ସମାଧାନ ହୋଇପାରିନାହିଁ। ଏଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ଦାବିରେ ଆଜି କୋଟଗଡ଼ ଅଞ୍ଚଳବାସୀ ୮ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରୁଥିବା ଜଣାପଡ଼ିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share