Categories: ଜାତୀୟ

ତାମିଲନାଡ଼ୁ ବାଣ କାରଖାନାରେ ବିସ୍ଫୋରଣରେ ୮ ମୃତ ଘଟଣା: ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କ୍ଷତିପୂରଣ ଘୋଷଣା

ଚେନ୍ନାଇ,୨୯।୭: ତାମିଲନାଡ଼ୁର କୃଷ୍ଣଗିରି ଜିଲାର ବାଣ କାରଖାନାରେ ଶନିବାର ବିସ୍ଫୋରଣ ଘଟି ୩ ମହିଳାଙ୍କ ସମେତ ମୋଟ ୮ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିଛନ୍ତି। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ସେହିଭଳି ଆହତମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ ବୋଲି କହିଛନ୍ତି।

ଶନିବାର ସକାଳେ ଘଟିଥିବା ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ନିକଟସ୍ଥ ହୋଟେଲ ବିଲ୍ଡିଂ ମଧ୍ୟ ଭୁଶୁଡି ପଡିଥିବା ବେଳେ ଅନ୍ୟ ଚାରିଟି ଅଟ୍ଟାଳିକା ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ପୋଲିସ କହିଛି ଏପର୍ଯ୍ୟନ୍ତ ଗୁରୁତର ଆହତ ୧୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ତୁରନ୍ତ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଏବଂ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଉଦ୍ଧାରକାରୀମାନେ ଅଳିଆ ଆବର୍ଜନାରେ ଫସି ରହିଥିବା ମୋଟ ଲୋକଙ୍କ ସଂଖ୍ୟା ଜାଣିପାରି ନାହାଁନ୍ତି।

କୃଷ୍ଣଗିରି ପୋଲିସ ଅଧୀକ୍ଷକ ସରୋଜ କୁମାର ଠାକୁର କହିଛନ୍ତି ପାଜାୟପେଟ୍ଟାଇ ଅଞ୍ଚଳରେ ରବି ନାମକ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ବାଣ କାରଖାନା ଭିତରେ ଏହି ବିସ୍ଫୋରଣ ଘଟିଛି। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନିଆଯାଇଛି।

Share