ଲକ୍ଷ୍ନୌ, ୩।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲାର ଟିକୁନିଆରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଗସ୍ତ କରିଥିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା। ଏହା ବିରୋଧରେ ସକାଳୁ ବିକ୍ଷୋଭ ଚଳାଇଥିଲେ ଚାଷୀ। କେନ୍ଦ୍ରମନ୍ତ୍ରୀଙ୍କ ସହ ଆସିଥିବା କିଛି ଗାଡ଼ି ରାସ୍ତା ପାର୍ଶ୍ୱରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ମାଡ଼ିଯାଇଥିଲା। ଏଥିରେ ୪ ଚାଷୀଙ୍କ ମୃତ୍ୟୁ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁଇଟି ଏସ୍ୟୁଭିରେ ନିଆଁ ଲଗାଇଦେବାରୁ ସେଥିରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଅତିରିକ୍ତ ଏସ୍ପି ଅରୁଣ କୁମାର ସିଂ କହିଛନ୍ତି।
ଚାଷୀଙ୍କ ଉପରେ ମାଡ଼ିଯାଇଥିବା ଗାଡ଼ି ମଧ୍ୟରୁ ଗୋଟିଏରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଅଜୟ ମିଶ୍ରା ଓ ଅନ୍ୟ ସମ୍ପର୍କୀୟମାନେ ବସିଥିଲେ। ଘଟଣାକୁ କେନ୍ଦ୍ର କରି ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ହିଂସାକାଣ୍ଡ ଘଟିଥିଲା। ହିଂସାକାଣ୍ଡରେ କେତେଜଣ ଖବରଦାତା ଆହତ ହୋଇଛନ୍ତି।