୮ଲକ୍ଷ ୯୬ହଜାର ପଞ୍ଜୀକୃତ ବେକାରି

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ ବେକାରି ସମସ୍ୟା ବଢୁଛି। ଦକ୍ଷତା ବିକାଶ ମାଧ୍ୟମରେ ସରକାର ଯେତେ ପ୍ରଚେଷ୍ଟା କଲେ ବି ଓଡ଼ିଶାରୁ ବେକାରି ସମସ୍ୟା ଦୂର ହେଉନି। ୨୦୨୦ ଅକ୍ଟୋବର ୩୧ ସୁଦ୍ଧା ରାଜ୍ୟରେ ୮ଲକ୍ଷ ୯୬ହଜାର ୮୩୮ଜଣ ବେକାରି ଅଛନ୍ତି। ତେବେ ଏହା କେବଳ ପଞ୍ଜୀକରଣ କରିଥିବା ଯୁବବର୍ଗ ହୋଇଥିବାବେଳେ ଅଣପଞ୍ଜୀକୃତ ବେକାରି ସମସ୍ୟା ଦେଖିଲେ ଏହା ଆହୁରି ବଳିଯିବ ବୋଲି କୁହାଯାଉଛି। ଶିକ୍ଷକ ପ୍ରଶିକ୍ଷଣ ନେଇଥିବା ସର୍ବାଧିକ ଯୁବତୀ ଯୁବକ ଏବେ ବେକାର ହୋଇ ଘରେ ବସିଥିବାବେଳେ ଏହା ତଳକୁ ଅଛନ୍ତି ଆଇଟିଆଇ ପଢିଥିବା ଛାତ୍ରୀଛାତ୍ର। ସେହିଭଳି ଡିପ୍ଲୋମାଧାରୀ, ସ୍ନାତକୋତ୍ତର ଡିଗ୍ରୀଧାରୀ, ଇଞ୍ଜିନିୟରିଂ, ଏମ୍‌ବିଏ ଓ ଏମ୍‌ସିଏ ଡିଗ୍ରୀଧାରୀ, କଳା, ବାଣିଜ୍ୟ ଓ ବିଜ୍ଞାନରେ ସ୍ନାତକ କରିଥିବା ହଜାର ହଜାର ଛାତ୍ରୀଛାତ୍ର ବେକାର ହୋଇ ବୁଲୁଛନ୍ତି। ଏପରି କି ମେଡିକାଲ ଓ ଭେଟେରିନାରି ଛାତ୍ରୀଛାତ୍ର ବେକାରି ସମସ୍ୟାରୁ ବର୍ତ୍ତିନାହାନ୍ତି। ଭାଜପା ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଗୃହରେ ଦେଇଥିବା ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି।
ଜିଲା କର୍ମ ନିୟୋଜନ କାର୍ଯ୍ୟାଳୟ ତଥ୍ୟ ଅନୁଯାୟୀ, ପୁରୀରେ ସର୍ବାଧିକ ୧୨,୦୯୦ ବେକାରି ଯୁବତୀଯୁବକ ପଞ୍ଜୀକରଣ କରିଥିବାବେଳେ କଟକରେ ଦ୍ୱିତୀୟ ସର୍ବାଧିକ ୧୧,୯୮୨ ଓ କେନ୍ଦ୍ରାପଡ଼ାରେ ୧୦,୧୩୭ ବେକାର ଯୁବପିଢି ଅଛନ୍ତି। ତେବେ ଗତ ୬ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୧୪ରୁ ୨୦୨୦ ମଧ୍ୟରେ ୧୩,୬୬,୧୬୬ ଯୁବତୀ ଯୁବକଙ୍କୁ ତାଲିମ ପ୍ରଦାନ କରାଯାଇ ନିଯୁକ୍ତିକ୍ଷମ କରାଯାଇଛି। ସେହିଭଳି ୨୪୬ଟି ନିଯୁକ୍ତି ମେଳା କରାଯାଇ ୧,୩୧,୬୪୭ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।

Share