ଚାକିରି ଦେବା ନାଁରେ ୮ ଲକ୍ଷ ଠକେଇ

ଭୁବନେଶ୍ୱର,୭।୫(ବ୍ୟୁରୋ): ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରି ପାଇବା ଆଶାରେ ୮ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ନେଇ ଇନ୍‌ଫୋସିଟି ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତ ଜଟଣୀ ଅଞ୍ଚଳର ପୃଥ୍ବୀରାଜ ବେହେରା(୩୭)ଙ୍କୁ ଗିରଫ କରି ୨୭୧/୨୧ରେ ମାମଲା ରୁଜୁ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।
ଧର୍ମରାଜ ବେହେରା ତାଙ୍କର ଦୁଇ ବନ୍ଧୁଙ୍କ ସହ ମିଶି ନନ୍ଦନବିହାରଠାରେ ସୋମୁ-ଭିଲ୍ଲାରେ ଥିବା ଏକ ଫ୍ଲାଟରେ ରହିବା ସହ ଚାକିରି ପାଇଁ ପଢାପଢି କରନ୍ତି। ଏହା ଭିତରେ ତାଙ୍କ ସାଙ୍ଗରେ ମିଶି ରହୁଥିବା ଜଣେ ବନ୍ଧୁ ପୃଥ୍ବୀରାଜଙ୍କ ସହ ପରିଚୟ କରାଇଥିଲେ। ଏହାପରେ ପୃଥ୍ବୀରାଜ ଧର୍ମରାଜାଙ୍କୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରି କରିବାକୁ ଚାହଁୁଛ କି ବୋଲି ପଚାରିଥିଲେ। ଏଥିପାଇଁ ତାଙ୍କୁ ୨ ଲକ୍ଷ ଟଙ୍କା ଆଡଭାନ୍ସ ଦେବାକୁ କହିଥିଲେ। ଫଳରେ ଅଭିଯୁକ୍ତ ପୃଥ୍ବୀରାଜଙ୍କ କଥାରେ ପଡି ଧର୍ମରାଜା ୨ ଲକ୍ଷ ଟଙ୍କା ଦେଇଥିଲେ। ପରେ ସୁଯୋଗ ଦେଖି ଅଭିଯୁକ୍ତ ପୃଥ୍ବୀରାଜ ଧର୍ମରାଜାଙ୍କଠାରୁ ପର୍ଯ୍ୟାୟକ୍ରମେ ୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଯେତେବେଳେ ଧର୍ମରାଜା ଚାକିରି ବିଷୟରେ ପଚାରୁଥିଲେ ସେତେବେଳେ ତାଙ୍କୁ ଏପଟ ସେପଟ କଥା ଦିନକୁ ଦିନ ଠକିଚାଲିଥିଲେ। ତେଣୁ ଧର୍ମରାଜା ଟଙ୍କା ଫେରସ୍ତ ମାଗିବାରୁ ପୃଥ୍ବୀରାଜ ଏକ ଜାଲ୍‌ ନିଯୁକ୍ତି ପତ୍ର ପଠାଇ ପରବର୍ତ୍ତୀ ସମୟରେ ଆଉ ଧରାଛୁଆଁ ଦେଲେ ନାହିଁ। ଏନେଇ ଧର୍ମରାଜା ଠକାମିର ଶିକାର ହେବା ଜାଣିପାରି ୨୦୨୧ ଡିସେମ୍ବର ୭ରେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାରରେ ପୋଲିସ ପୃଥ୍ବୀରାଜଙ୍କୁ ଗିରଫ କରିଛି ।

Share