Categories: ଖେଳ

ଓଡ଼ିଶା ପ୍ରତିଯୋଗୀଙ୍କୁ ୫ ସ୍ବର୍ଣ୍ଣ ସହ ୮ ପଦକ

ଭୁବନେଶ୍ୱର, ୮।୫(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ରବିବାର ଶେଷ ହୋଇଥିବା ୫ମ ଇଣ୍ଡିଆନ ଓପନ୍‌ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ଓଡ଼ିଶାକୁ ୨ଟି ସ୍ବର୍ଣ୍ଣ ପଦକ ମିଳିଛି। ଏହାକୁ ମିଶାଇ ଓଡ଼ିଶା ମୋଟ୍‌ ୮ ପଦକ ଜିତିଛି। ପ୍ରତିଯୋଗିତାର ଶେଷ ଦିବସରେ ପଙ୍କଜ ଭୁଏ (ଟି-୧୩) ୨୦୦ ମିଟର ଇଭେଣ୍ଟରେ ୨୬.୧୦ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ପାଇଛନ୍ତି। ଭେଙ୍କଟେଶ୍‌ ୨୬.୭୪ ସହ ରୌପ୍ୟ ଓ ବୋଡ୍ଡୁ ଶ୍ରୀହରି ୨୭.୩୭ ସେକେଣ୍ଡ ସହିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ଜୟନ୍ତୀ ବେହେରା ଟି-୩୫/୪୬/୪୭ ମିଶ୍ରିତ ୨୦୦ ମିଟରରେ ୨୬.୭୭ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଶ୍ରୀଲଙ୍କାର କୁମୁଦିକା ଧନଞ୍ଜୟ ୨୭.୬୮ ସହ ରୌପ୍ୟ ଓ ଜନନୀ ଧନଞ୍ଜୟ ୨୮.୨୬ ସେକେଣ୍ଡ ସହିତ ବ୍ରୋଞ୍ଜ ପଦକ ପାଇଛନ୍ତି। ଜୟନ୍ତୀ ବେହେରା ୧୦୦, ୨୦୦, ୪୦୦ ମିଟରରେ ୩ଟି ସ୍ବର୍ଣ୍ଣ, ପଙ୍କଜ ଭୁଏ ୨୦୦ ମିଟର ଓ ଲଙ୍ଗଜମ୍ପ୍‌ରେ ୨ ସ୍ବର୍ଣ୍ଣ ଓ ୧୦୦ ମିଟରରେ ରୌପ୍ୟ ପଦକ ହାସଲ କରିଥିଲେ। ସୁଚିତ୍ରା ପରିଡ଼ାଙ୍କୁ ଜାଭେଲିନ୍‌ ଥ୍ରୋରେ ରୌପ୍ୟ ପଦକ ମିଳିଥିଲା। ସେହିପରି ପ୍ରଫୁଲ୍ଲ କୁମାର ଖଣ୍ଡାୟତରାଏ ଶଟ୍‌ପୁଟ୍‌ରେ ବ୍ରୋଞ୍ଜ ପଦକ ପାଇଥିଲେ।
ଟିମ୍‌ ସହିତ କୋଚ୍‌ ମାର୍କଣ୍ଡ ରେଡ୍ଡୀ(ପାରା ଅଲିମ୍ପିଆନ୍‌) ଓ ବିଷ୍ଣୁ ପ୍ରସାଦ ମିଶ୍ର ଅଫିସିଆଲ ଭାବେ ଯୋଗ ଦେଇଥିଲେ।

Share