କରୋନା ରିପୋର୍ଟ ନେଗେଟିଭ ଆସିଲା ପରେ ହସ୍ପିଟାଲରେ ନାଚିଲେ ପରିବାରର ୮ ସଦସ୍ୟ

ଭୋପାଳ, ୧୮।୮: ମଧ୍ୟପ୍ରଦେଶ କଟନୀ ଜିଲା ହସ୍ପିଟାଲର କୋଭିଡ୍‌ କେୟାର ସେଣ୍ଟରରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କରୋନା ସଂକ୍ରମିତ ରୋଗୀମାନେ ଓ୍ବାର୍ଡ ମଧ୍ୟରେ ଏକାଠି ନାଚୁଥିବାର ଦେଖିବାକୁ ମିଳିଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ନାଚ କରୁଥିବା ସମସ୍ତ ରୋଗୀ ଗୋଟିଏ ପରିବାରର। ଯେଉଁଥିରେ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସାମିଲ ରହିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ଏହି ପରିବାରର ୮ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇ ଜିଲା ହସ୍ପିଟାଲର କୋଭିଡ୍‌ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଯେତେବେଳେ ସମସ୍ତେ ଜାଣିଲେ ଯେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି, ଏବଂ ସେମାନେ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ତାପରେ ଯାହା ଘଟିଲା ଏହି ଭିଡିଓରୁ ଜଣାପଡ଼ୁଛି। ପରିବାରର ସମସ୍ତ ସଦସ୍ୟ ମୋବାଇଲ ଦ୍ୱାରା ଗୀତ ବଜାଇ ଓ୍ବାର୍ଡ ମଧ୍ୟରେ ନାଚିବାକୁ ଆରମ୍ଭ କରିଥିଲେ। ଭାଇରାଲ ଭିଡିଓରେ ଡାକ୍ତର କହିଛନ୍ତି, ସମଗ୍ର ପରିବାରକୁ ଏକାଠି ରଖାଯାଇଥିଲା। ଯାହାଦ୍ୱାରା ସେମାନେ ପରସ୍ପର ମଧ୍ୟରେ କଥାବର୍ତ୍ତା ହୋଇପାରିଥିଲେ ଏବଂ ଖୁସିରେ ରହିଥିଲେ। ଏହି କାରଣରୁ ଖୁବଶୀଘ୍ର ସୁସ୍ଥ ହୋଇପାରିଲେ। ରିପୋର୍ଟ ନେଗେଟିଭ ଆସିବା ସେମାନଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ଏହା ଜାଣିବା ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ନାଚିବାରେ ଲାଗିଥିଲେ।