ମହାମାରୀରେ ୮ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ

ଏସ୍‌ ଏଞ୍ଜେଲ୍ସ, ୧୧ା୧୧: କୋଭିଡ୍‌ ମହାମାରୀ ଯୋଗୁ ପରିବେଶ ଉପରେ ବ୍ୟାପକ ପ୍ରଭାବ ପଡ଼ିଛି। ଏହି ସମୟରେ ୮ ନିୟୁତ ଟନ୍‌ରୁ ଅଧିକ ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୨୫ ହଜାର ଟନ୍‌ରୁ ଊର୍ଦ୍ଧ୍ୱ ଅଳିଆ ସମୁଦ୍ରରେ ମିଶିଛି ବୋଲି ନ୍ୟାଶନାଲ ଏକାଡେମୀ ସାଇନ୍ସର ଏକ ଜର୍ନାଲରେ ରିପୋର୍ଟ ପ୍ରକାଶ ପାଇଛି। ୩/୪ ବର୍ଷ ମଧ୍ୟରେ ଏହି ଆବର୍ଜନା ସମୁଦ୍ର କୂଳରେ ଲାଗିପାରେ କିମ୍ବା ସମୁଦ୍ର ମଧ୍ୟରେ ଏକ ଆସ୍ତରଣ ହୋଇ ଜମା ହୋଇପାରେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ବେଳେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର ବହୁ ପରିମାଣରେ ବୃଦ୍ଧି ପାଇଛି। ସେଥିରେ ମାସ୍କ, ଗ୍ଲୋଭ୍‌ସ, ଫେସ୍‌ ସିଲ୍ଡ ଆଦି ବିପୁଳ ମାତ୍ରାରେ ଆବର୍ଜନା ବଢ଼ାଇଛି। ନଦୀ, ସମୁଦ୍ର ମଧ୍ୟରେ ଏହି ବର୍ଜ୍ୟର ବଡ଼ ଭାଗ ମିଶିବା ସହ ବିଶ୍ୱ ପ୍ଲାଷ୍ଟିକ୍‌ ସମସ୍ୟାକୁ ବହୁଗୁଣିତ କରିଛି। ଚାଇନାର ନାନ୍‌ଜିଙ୍ଗ୍‌ ୟୁନିଭର୍ସିଟି ଏବଂ କାଲିଫର୍ନିଆ ସାନ୍‌ ଡିଏଗୋ ୟୁନିଭର୍ସିଟି ରିସର୍ଚ୍ଚରଙ୍କ ଏକ ଟିମ୍‌ ଏହା ଉପରେ ଅନୁସନ୍ଧାନ କରିଥିଲେ। ମହାମାରୀ ଯୋଗୁ ବାହାରିଥିବା ପ୍ଲାଷ୍ଟିକ୍‌ ଆବର୍ଜନାର ପ୍ରଭାବ ଜାଣିବା ପାଇଁ ସେମାନେ ନୂତନ ଭାବେ ବିକଶିତ ଏକ ମଡେଲ ବ୍ୟବହାର କରିଥିଲେ। ୨୦୨୦ରେ ମହାମାରୀ ଆରମ୍ଭରୁ ୨୦୨୧ ଅଗଷ୍ଟ ପର୍ଯ୍ୟନ୍ତ ତଥ୍ୟ ଆକଳନ କରିଥିଲେ। ଏସିଆ ମହାଦେଶରୁ ସର୍ବାଧିକ ପ୍ଲାଷ୍ଟିକ୍‌ ଆବର୍ଜନା ସମୁଦ୍ରରେ ମିଶୁଥିବା ସେମାନେ ଜାଣିବାକୁ ପାଇଛନ୍ତି। ସେଥିରେ ବିପୁଳ ସଂଖ୍ୟାରେ ମେଡିକାଲ ବର୍ଜ୍ୟ ରହିଛି। ଏସୀୟ ନଦୀଗୁଡ଼ିକରେ ମୋଟ ପ୍ଲାଷ୍ଟିକ୍‌ର ୭୩ ପ୍ରତିଶତ ଆବର୍ଜନା ମିଶିଛି। ଶାଟ୍‌ ଅଲ୍‌-ଆରବ, ଇଣ୍ଡସ୍‌ ଏବଂ ୟଙ୍ଗତ୍‌ଜେ ନଦୀ ମଧ୍ୟ ଦେଇ ସର୍ବାଧିକ ଅଳିଆ ପର୍ସିଆନ୍‌ ଉପସାଗର, ଆରବ ସାଗର ଏବଂ ପୂର୍ବ ଚାଇନ ସାଗରରେ ମିଶିଛି। ୟୁରୋପୀୟ ନଦୀଗୁଡ଼ିକରେ ୧୧ ପ୍ରତିଶତ ଆବର୍ଜନା ପହଞ୍ଚିଥିବା ଏହି ଅନୁସନ୍ଧାନକାରୀ ଟିମ୍‌ ଜାଣିବାକୁ ପାଇଛନ୍ତି।

Share