ବିନା ଲାଇସେନ୍ସରେ ଗାଡ଼ି ଚଳାଇ ଧରାପଡ଼ିଲେ ୮ ନାବାଳକ

କେନ୍ଦୁଝର,୨୯ା୩(ସ୍ବ.ପ୍ର.): ରାଜ୍ୟରେ ଏପ୍ରିଲ ପହିଲାରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣାରେ ପ୍ରାଣ ନ ହରାଇବା ପାଇଁ ଜିରୋ ଟଲରାନ୍ସ ବା ଶୂନ ସହନଶୀଳକୁ ନେଇ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି। ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏବଂ ପୋଲିସ ମିଳିତ ସହଯୋଗରେ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ୮ ନାବାଳକ ଧରାପଡ଼ିଛନ୍ତି। କେନ୍ଦୁଝର ସହରରେ ୩ ଜଣ ଏବଂ ବଡ଼ବିଲରେ ୫ ଜଣ ନାବାଳକଙ୍କ ଗାଡ଼ି ଜବତ କରାଯାଇ ଗାଡ଼ିମାଲିକଙ୍କ ନାମରେ କେସ୍‌ କରାଯାଇଛି। ଗାଡ଼ିମାଲିକଙ୍କ ନାମରେ ୨୫ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ ପାଇଁ ଚାଲାଣ କଟାଯାଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଗୋପାଳ କୃଷ୍ଣ ଦାସ ସୂଚନା ଦେଇଛନ୍ତି। ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲ ନିକଟରେ କଡ଼ାକଡି ଯାଞ୍ଚ କରାଯିବ। କେନ୍ଦୁଝର ସହରର ଗାନ୍ଧି ଛକ ନିକଟରେ ବିନା ହେଲମେଟରେ ଜଣେ ବାଇକ ଚାଳକ ନମ୍ବର ପ୍ଲେଟ ଉପରେ କପଡ଼ା ଦେଇ ଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲେ। ଏ ନେଇ ପୋଲିସ ଗାଡ଼ି ଜବତ କରି ପରିବହନ ବିଭାଗକୁ ହସ୍ତାନ୍ତର କରିବା ପରେ ୬ ହଜାର ଟଙ୍କା ଚାଲାଣ କଟାଯାଇଛି।

ପ୍ରକାଶ ଥାଉକି,୧୮ବର୍ଷରୁ କମ୍‌ ବୟସର ପିଲା ଗାଡ଼ିି ଚଳାଇ ଧରାପଡ଼ିଲେ ୨୫ହଜାର ଟଙ୍କା ଜରିମାନା ଦେବା ସହ ଗାଡ଼ିମାଲିକ ୩ ମାସ ଜେଲ୍‌ ଯିବା ପାଇଁ ପରିବହନ ବିଭାଗ ପକ୍ଷରୁ ୨୦୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପରିକି ଗାଡ଼ିର ଆର୍‌ସି(ପଞ୍ଜୀକରଣ ପ୍ରମାଣପତ୍ର) ଏକ ବର୍ଷ ପାଇଁ ବାତିଲ କରାଯିବା ସହ ସଂପୃକ୍ତ ନାବାଳକ ଗାଡ଼ିଚାଳକଙ୍କୁ ୨୫ ବର୍ଷ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ମିଳିବ ନାହିଁ ବୋଲି ନିୟମ ରହିଛି।