Categories: ଜାତୀୟ

ରାଜ୍ୟ ସଭାରେ ହଙ୍ଗାମା: ୮ ଏମ୍‌ପି ସପ୍ତାହେ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ, ୨୧।୯: ମୌସୁମୀ ଅଧିବେଶନର ୮ମ ଦିନରେ ସୋମବାର ରାଜ୍ୟ ସଭାରେ ୮ ବିରୋଧୀ ସଦସ୍ୟଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବିତ କରାଯାଇଛି। କୃଷି ବିଧେୟକକୁ ନେଇ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ କରାଯାଇଥିବା ହଙ୍ଗାମାକୁ ନେଇ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ଏଭଳି ନିଷ୍ପତ୍ତି ବାଚସ୍ପତି ଭେଙ୍କୟା ନାଇଡୁ ନେଇଛନ୍ତି। ଗୃହର ସାଧାରଣ କାର୍ଯ୍ୟକୁ ଅଚଳ କରିଥିବା, ରୁଲ୍‌ ବୁକ୍‌ ଚିରାଯାଇଥିବା ଏବଂ ମାଇକ୍‌ ଭଙ୍ଗା ଘଟଣାରେ ବାଚସ୍ପତି ଭେଙ୍କୟା ନାଇଡୁ ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ସଦସ୍ୟଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ଡେରେକ ଓ ବ୍ରିଏନ ଏବଂ ସୁଶ୍ରୀ ଡୋଲା ସେନ୍‌ ରହିଛନ୍ତି। ସେହିପରି ଆଏନ୍‌ସିର ରାଜୀବ ସତଓ୍ବ, ସୟଦ ନାସିର ହୁସେନ ଏବଂ ରିପୁନ ବୋରା ରହିଛନ୍ତି। ସିପିଆଇଏମ୍‌ର ୨ ଜଣ ଏମ୍‌ପି ଏଲାମରମ୍‌ କରିମ୍‌ ଏବଂ କେ.କେ. ରାଗେଶ ନିଲମ୍ବିତ ଏମ୍‌ପିଙ୍କ ମଧ୍ୟରେ ରହିଛନ୍ତି। ଏଏପିର ଏମ୍‌ପି ସଞ୍ଜୟ ସିଂଙ୍କୁ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ନିଲମ୍ବିତ କରାଯାଇଛି। କୃଷି ବିଲ୍‌କୁ ନେଇ ରାଜ୍ୟ ସଭାରେ ହୋଇଥିବା ହଙ୍ଗାମାକୁ ବାଚସ୍ପତି ଦୃଢ଼ ନିନ୍ଦା କରିଛନ୍ତି। ବିରୋଧୀ ଦଳଙ୍କ ବିରୋଧ ସତ୍ତ୍ୱେ କୃଷି ବିଧେୟକକୁ ରାଜ୍ୟ ସଭାରେ ମଞ୍ଜୁରୀ ମିଳିଥିବା ସେ କହିଛନ୍ତି। ନିଲମ୍ବିତ ହେବା ପରେ ମଧ୍ୟ ସଦସ୍ୟମାନେ ରାଜ୍ୟ ସଭାରେ ଉପସ୍ଥିତ ରହିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଅଧାଘଣ୍ଟା ପାଇଁ ସ୍ଥଗିତ ରଖିଥିଲେ।

Share