୮ ଜିଲାର ୮ ନୂଆ ଗ୍ରୀଡ୍‌ ସବ୍‌ଷ୍ଟେଶନ ଲୋକାର୍ପିତ

ଭୁବନେଶ୍ବର, ୨୦ା୭(ସୁନିତ୍‌ ମିଶ୍ର)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୮ ଜିଲାରେ ୮ଟି ଏକ୍ସଟ୍ରା ହାଇ ଭୋଲଟେଜ ଗ୍ରୀଡ୍‌ ସବ୍‌ଷ୍ଟେଶନ ଲୋକାର୍ପିତ କରିଛନ୍ତି। ଅନୁଗୋଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ଼, କୋରାପୁଟର ବୋରିଗୁମ୍ମା, ଝାରସୁଗୁଡ଼ାର ଲଖନପୁର, ସୁନ୍ଦରଗଡ଼ର କୁମାରମୁଣ୍ଡା, ସମ୍ବଲପୁରର ବାମରା, ବରଗଡ଼ର ଭଟ୍‌ଲି ଏବଂ ଭଦ୍ରକରେ ଏହିସବୁ ଗ୍ରୀଡ୍‌ ସବଷ୍ଟେଶନ ପାଇଁ ରାଜ୍ୟ ସରକାର ୬୫୦ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏହାଦ୍ବାରା ରାଜ୍ୟର ୨ ଲକ୍ଷ ୨୦ ହଜାର ଉପଭୋକ୍ତା ଉପକୃତ ହେବେ।
ଭିଡିଓ କନ୍‌ଫରେନ୍ସ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ବାରା ଜନସାଧାରଣ ଗୁଣାତ୍ମକ ଓ ନିରନ୍ତର ବିଜୁଳି ପାଇପାରିବେ। ସମସ୍ତଙ୍କ ପାଇଁ ବିଜୁଳିର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ଏକ ବଡ଼ ସଫଳତା। ରାଜ୍ୟରେ ୧୬,୩୦୦ ସର୍କିଟ କିଲୋମିଟର ଦୀର୍ଘ ବିଦ୍ୟୁତ୍‌ ସରବରାହ ନେଟ୍‌ୱର୍କ ରହିଛି। ୧୯୩ଟି ଏକ୍ସଟ୍ରା ହାଇ ଭୋଲଟେଜ ଗ୍ରୀଡ୍‌ ସବଷ୍ଟେଶନ ମଧ୍ୟ ନିର୍ମାଣ କରାଯାଇଛି। ରାଜ୍ୟ ସହରାଞ୍ଚଳର ୯୯ ପ୍ରତିଶତ ଓ ଗ୍ରାମାଞ୍ଚଳର ୯୭ ପ୍ରତିଶତ ଲୋକଙ୍କୁ ବର୍ତ୍ତମାନ ବିଜୁଳିର ସୁବିଧା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୀତି ଆୟୋଗ ରିପୋର୍ଟକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟର ୬୦ ଲକ୍ଷରୁ ଅଧିକ ଲୋକ ଗରିବୀରୁ ଉପରକୁ ଉଠିଛନ୍ତି। ଏଥିରେ ଗୁଣାତ୍ମକ ବିଦ୍ୟୁତ୍‌ର ଏକ ବଡ଼ ଭୂମିକା ରହିଛି। ଆଧୁନିକ ଅର୍ଥନୀତିର ମୁଖ୍ୟ ଆଧାର ହେଉଛି ବିଜୁଳି। ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ବିଜୁଳି ଅତି ଜରୁରୀ। ଲୋକଙ୍କୁ ନିରନ୍ତର ବିଜୁଳି ଯୋଗାଇବା ସରକାରଙ୍କ ଏକ ମୁଖ୍ୟ ଲକ୍ଷ୍ୟ ଓ ଏଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।
ଏହି ଅବସରରେ ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ ପକ୍ଷରୁ ୧୦୩.୩୭ କୋଟି ଟଙ୍କା ଏବଂ ଓପିଟିସିଏଲ୍‌ ପକ୍ଷରୁ ୪୨ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଅନ୍ତରୀଣ ଲାଭାଂଶ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି। ଏହାସହିତ ଓପିଜିସି ପକ୍ଷରୁ ୨ କୋଟି ଓ ଓପିଟିସିଏଲ୍‌ ପକ୍ଷରୁ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି। ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ଏହାଦ୍ବାରା ଶିଳ୍ପ, କୃଷି, ଶିକ୍ଷା ଆଦି କ୍ଷେତ୍ରରେ ବିକାଶ ତ୍ୱରାନ୍ବିତ ହେବା ସହିତ ଲୋକଙ୍କୁ ଗୁଣାତ୍ମକ ବିଜୁଳି ମିଳିପାରିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬୩ଟି ଗ୍ରୀଡ୍‌ ସବଷ୍ଟେଶନ ନିର୍ମାଣ କରାଯାଇଥିବା ବେଳେ ଆଉ ୧୦୦ଟି ନିର୍ମାଣାଧୀନ ଅଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଛନ୍ତି। ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେଇଥିବା ବେଳେ ଓପିଟିସିଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଦେଇଛନ୍ତି।
Share