ସମସ୍ୟା ଘେରରେ ୮ନଂ. ଓ୍ବାର୍ଡ

ଚୌଦ୍ୱାର,୨୮ା୮(ଆଶୁତୋଷ ଦାସ): ଚୌଦ୍ୱାର ପୌରପାଳିକା ଅଧୀନ ୮ ନମ୍ବର ଓ୍ବାର୍ଡରେ ଅନେକ ସମସ୍ୟା ରହିଛି। ଗତ ଦେଢ ବର୍ଷ ମଧ୍ୟରେ ଏହି ଓ୍ବାର୍ଡରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନାହିଁ। ଏପରି କି ଓ୍ବାର୍ଡବାସୀଙ୍କ ସମସ୍ୟା ସମାଧାନ କରାଯାଉ ନ ଥିବା ସ୍ଥାନୀୟ କାଉନସିଲର ବିଜୟଲକ୍ଷ୍ମୀ ବେହେରା ଅଭିଯୋଗ କରିଛନ୍ତି। ଉକ୍ତ ୱାର୍ଡ଼ରେ ରାସ୍ତାଘାଟ, ଡ୍ରେନ୍‌, ବିଦ୍ୟାଳୟ ଗୃହ ଓ ଶିକ୍ଷକ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକେ କାଉନ୍‌ସିଲର ବେହେରାଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପରୋକ୍ତ ସମସ୍ୟା ଦୂର ପାଇଁ ବେହେରା ବାରମ୍ବାର ପୌର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା କରାଯାଇନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ଅଭିଯୋଗରେ ଅତିଷ୍ଠ ହୋଇ କାଉନସିଲର ବେହେରା ଶୁକ୍ରବାର ୱାର୍ଡ଼ ସଫେଇ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ସହିତ ସଫେଇ କର୍ମଚାରୀମାନଙ୍କୁ ୱାର୍ଡ଼ରୁ ଫେରାଇ ଦେଇଥିଲେ। ଖବରପାଇ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ବର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ପ୍ରମୁଖ ୱାର୍ଡ଼ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ୱାର୍ଡ଼ରେ ଡ୍ରେନ୍‌ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମିବା, ମଠସାହି ରାସ୍ତାରେ ମଇଳା ପାଣି ଜମି ଯାତାୟତ ବାଧାପ୍ରାପ୍ତ ହେବା, ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ପାଇପ ବିଛା ପାଇଁ ଖୋଳା ଯାଇଥିବା କଂକ୍ରିଟ ଓ ମାଟି ରାସ୍ତା ଉପରେ ଜମି ଅବରୋଧ ହୋଇଥିବା ଓ ସମଗ୍ର ଅଞ୍ଚଳରେ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଏଥିସହ ୱାର୍ଡ଼ରେ ଥିବା ଏକମାତ୍ର ପ୍ରାଥମିକ ବିଦ୍ୟାଳୟରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଶ୍ରେଣୀଗୃହ ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ୱାର୍ଡ଼ବାସୀ ଅଭିଯୋଗ କରିଛନ୍ତି। ଆଗାମୀ ଦେଢ଼ ମାସ ମଧ୍ୟରେ ଉକ୍ତ ୱାର୍ଡ଼ରେ ଥିବା ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ପୂର୍ବତନ ବିଧାୟକ ବିଶ୍ୱାଳ ଓ ପୌରାଧ୍ୟକ୍ଷା ସାମଲ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଏହି ସମୟ ମଧ୍ୟରେ ପ୍ରତିଶ୍ରୁତି ପାଳନ ନ କରାଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ୱାର୍ଡ଼ବାସୀ ଚେତାବନୀ ଦେଇଛନ୍ତି।