Categories: ଜାତୀୟ

କୁକୁର ପାଇଁ ୮ ଜଣଙ୍କୁ ଗୁଳି: ୨ ମୃତ

ଭୋପାଳ,୧୯ା୮: ମଧ୍ୟପ୍ରଦେଶର ଇନ୍ଦୋରରେ ପୋଷା କୁକୁରକୁ ନେଇ ସେମାନଙ୍କ ମାଲିକଙ୍କ ମଧ୍ୟରେ ବଚସାରୁ ଝଗଡ଼ା ହୋଇ ୨ ଜଣଙ୍କ ଜୀବନ ଯାଇଛି। ଗୁରୁବାର ରାତିରେ ବ୍ୟାଙ୍କ୍‌ ସୁରକ୍ଷା ଗାର୍ଡ ରାଜପାଲ ସିଂ ରାଜଓ୍ବତ୍‌ ତାଙ୍କ ବାଲ୍‌କୋନିରୁ ପଡୋଶୀମାନଙ୍କୁ ଗୁଳି ଚଳାଇଥିଲେ। ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ବ୍ୟାଙ୍କ ଅଫ୍‌ ବରୋଦାର ସ୍ଥାନୀୟ ଶାଖାରେ ଗାର୍ଡ ଥିବା ରାଜପାଲ୍‌ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇଥିଲେ ବୋଲି ଅତିରିକ୍ତ ଡିସିପି ଅମରେନ୍ଦ୍ର ସିଂ କହିଛନ୍ତି। ଖବର ଅନୁଯାୟୀ ରାଜପାଲ୍‌ ଏବଂ ପଡୋଶୀ ବିମଲ ଆମ୍‌ଚା କ୍ରିଷ୍ଣ ବାଗ୍‌ କଲୋନିରେ ରହନ୍ତି। ସେମାନେ ରାତି ୧୧ଟାରେ ପୋଷା କୁକୁରକୁ ସଂକୀର୍ଣ୍ଣ ଗଳିରେ ବୁଲାଇବାକୁ ନେଇଥିବାବେଳେ ସେମାନେ ପରସ୍ପର କାମୁଡ଼ାକାମୁଡ଼ି ହୋଇଥିଲେ। ଏହାକୁ ନେଇ ରାଜପାଲ୍‌ ଏବଂ ବିମଲଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ରାଜପାଲ୍‌ ପ୍ରଥମ ମହଲାରେ ଥିବା ଘରକୁ ଯାଇ ନିଜ ବନ୍ଧୁକରୁ ବିମଲଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ମାଡ଼ରେ ବିମଲ ଓ ତାଙ୍କ ଶାଳକ ରାହୁଲ ବର୍ମାଙ୍କ ମୃତ୍ୟୁ ଘଟିଥିଲା। ରାହୁଲଙ୍କ ଗର୍ଭବତୀ ସ୍ତ୍ରୀ ଜ୍ୟୋତି ବର୍ମା ଗୁଳିମାଡ଼ରେ ଆହତ ହୋଇଛନ୍ତି। ଗୁଳିକାଣ୍ଡ ବେଳେ ରାସ୍ତାରେ ଥିବା ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରାଜପାଲ୍‌ଙ୍କୁ ଗିରଫ କରାଯିବା ସହ ତାଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି।

Share