ଗୋଟିଏ ପରିବାରରୁ ୮ ପଜିଟିଭ୍‌ ଚିହ୍ନଟ: ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ପାଟଣା,୧୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପାଟଣା ବ୍ଲକ ସ୍ବାମ ଶାସନରେ ଗୋଟିଏ ଦି ପରିବାରରୁ ୮ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅତିରିକ୍ତ ଜିଲାପାଳ ଉକ୍ତ ପ୍ଲଟକୁ ମାଇକ୍ରୋ କଣ୍ଟେନମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ଅପ୍ରେଲ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଉକ୍ତ ପ୍ଲଟ୍‌ଟି ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ରହିବା ପାଇଁ ନିର୍ଦ୍ଦେଶ ରହିଛି। ୭୨ ଘଣ୍ଟା ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ ସାରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ନରେ ପାଟଣା ତହସିଲଦାର ଶିବପ୍ରସାଦ ମୁର୍ମୁ, ସୁପରଭାଇଜର ବନମାଳୀ ନାଏକ ଓ ଅମଲା ରମାକାନ୍ତ ମହାନ୍ତ ପ୍ରମୁଖ ପହଞ୍ଚି ସ୍ବାମ ବୀର ଜୟ ଗୋବିନ୍ଦପୁର ଗ୍ରାମର ଏକ ପ୍ଲଟ୍‌କୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରିବାକୁ ଉପଜିଲାପାଳଙ୍କୁ ପତ୍ର ଲେଖିଥିଲେ। ଆଜି ସନ୍ଧ୍ୟାରେ ଅଗ୍ନିଶମ ବିଭାଗ ପକ୍ଷରୁ ଉକ୍ତ ଗୃହକୁ ବିଶୋଧିତ କରାଯାଇଛି।

Share