ଗରିବଙ୍କ ପାଇଁ ୮୦ ଲକ୍ଷ ନୂଆ ଘର,ଚଳିତ ବର୍ଷରୁ ଚିପ୍‌ ପାସପୋର୍ଟ, ୧୦୦ ଗତି ଶକ୍ତି କାର୍ଗୋ…

ନୂଆଦିଲ୍ଲୀ, ୧।୨ : ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୨୦୨୨-୨୩ ବର୍ଷରେ ଗରିବଙ୍କ ପାଇଁ ୮୦ଲକ୍ଷ ନୂଆ ଘର ନିର୍ମାଣ ହେବ। ଏଥି ପାଇଁ ୪୮,୦୦୦ କୋଟି ଟଙ୍କା ଆବଣ୍ଟନ କରାଯିବ। ସହରାଞ୍ଚଳରେ ନୂତନ ଘର ଏବଂ ଗ୍ରାମାଞ୍ଚଳ ପାଇଁ ଆଧୁନିକ ଘର ନିର୍ମାଣ ପାଇଁ ଅଧିକ ଅର୍ଥ ଆବଣ୍ଟନ କରାଯିବ। କେନ-ବେଟୱା ପ୍ରକଳ୍ପ ପାଇଁ ୧୪,୦୦ କୋଟି ଟଙ୍କା ପ୍ରଦାନ କରାଯିବ।

ରେଳବାଇର ସାମଗ୍ରୀ କ୍ଷେତ୍ରକୁ ପିପିପି ମଡେଲ ମାଧ୍ୟମରେ ବିସ୍ତାର କରାଯିବ। ୭୫୦ ନୂତନ ଇ-ଲ୍ୟାବ ସୃଷ୍ଟି ହେବ ଏବଂ ସେମାନଙ୍କ ମାଧ୍ୟମରେ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଚିପ ପାସପୋର୍ଟ ଏହି ବର୍ଷରୁ ଆସିବ। ଶିକ୍ଷା କ୍ଷେତ୍ରରେ ଡିଜିଟାଲ ବିଶ୍ୱବିଦ୍ୟାଳୟଗୁଡ଼ିକ ସୃଷ୍ଟି ହେବ ଏବଂ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀରେ ଟିଭି ସ୍ଥାପନ କରାଯିବ। ସ୍କିଲ ଇଣ୍ଡିଆ ମିଶନ ମାଧ୍ୟମରେ ଏବଂ କୁଶଳୀ ଶ୍ରମିକଙ୍କ ପାଇଁ ସରକାରୀ ଯୋଜନା ଅଧୀନରେ ଯୁବକମାନଙ୍କୁ ସଶକ୍ତ କରିବା ଲାଗି କାର୍ଯ୍ୟ କରାଯିବ। ଲୋକଙ୍କ ପାଇଁ ଜୀବିକା ର୍ନିବାହ ପାଇଁ ସରକାରୀ ପ୍ରକଳ୍ପ ସଂଖ୍ୟା ବୃଦ୍ଧି ପାଇବ।

ସରକାର ଏମଏସପି ମାଧ୍ୟମରେ କୃଷକଙ୍କ ଆକାଉଣ୍ଟକୁ ୨.୩୭ କୋଟି ଟଙ୍କା ପଠାଇଛନ୍ତି ଏବଂ ଜୈବ ଚାଷ କରୁଥିବା ଚାଷୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ସରକାରଙ୍କ ଦ୍ୱାରା ରାସାୟନିକ ଏବଂ କୀଟନାଶକ ମୁକ୍ତ ଚାଷର ପ୍ରସାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କୁ ଡିଜିଟାଲ ସେବା ଯୋଗାଇ ଦିଆଯିବ ଏବଂ ଭାରତରେ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ କାର୍ଯ୍ୟ ଜୋରଦାର କରାଯିବ। ଡ୍ରୋନ ମାଧ୍ୟମରେ କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରାଯିବ। ୧୦୦ଟି ଗତି ଶକ୍ତି କାର୍ଗୋ ଟର୍ମିନାସ ତିଆରି ହେବ।
ଦେଶରେ ଜଳସେଚନ ଏବଂ ପାନୀୟ ଜଳ ଯୋଜନାରେ କାର୍ଯ୍ୟ କରାଯାଉଛି ଏବଂ ଗଙ୍ଗା କୂଳରେ ରହୁଥିବା ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ।

Share