Categories: ଜାତୀୟ

ମୁମ୍ବାଇର ୮୦ ପ୍ରତିଶତ ଅଞ୍ଚଳ ଯିବ ସମୁଦ୍ର ଗର୍ଭ କୁ…

ମୁମ୍ବାଇ,୨୮।୮: ବିପଦ ମାଡ଼ି ଆସୁଛି, ଆଉ ୨୯ ବର୍ଷ ପରେ ୨୦୫୦ ବେଳକୁ ଫିଲ୍ମ ସିଟି ମୁମ୍ବାଇର ୮୦ ପ୍ରତିଶତ ଅଞ୍ଚଳ ସମୁଦ୍ର ଗର୍ଭକୁ ଯିବ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ହେବାର ଆଶଙ୍କା ସୃଷ୍ଟି ହୋଇଛି। ମୁମ୍ବାଇର ମ୍ୟୁନିସପାଲ କମିଶନର ଇକବାଲ୍‌ ସିଂ ଚହଲ ଏଭଳି କହିଛନ୍ତି। ନରିମାଣ ପଏଣ୍ଟ ସହିତ ମୁମ୍ବାଇର କୁଫ୍‌ ପରେଡ, ରାଜ୍ୟ ସଚିବାଳୟ ଆଦି ସମୁଦ୍ରରେ ବୁଡ଼ିଯିବ। ଏନେଇ ପ୍ରସ୍ତୁତ କରାଯାଇଥିବା ଏକ ଆକ୍ସନ୍‌ ପ୍ଳାନ୍‌ ରିପୋର୍ଟକୁ ପରିବେଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କୁ ପ୍ରଦାନ କରାଯାଇଛି। ଦକ୍ଷିଣ ଏସିଆର ପ୍ରଥମ ସହର ଭାବେ ମୁମ୍ବାଇ ପକ୍ଷରୁ କ୍ଲାଏମେଟ୍‌ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ସମ୍ପ୍ରତି ମୁମ୍ବାଇରେ ବର୍ଷା ପରିମାଣରେ ବୃଦ୍ଧି ଘଟିବାରେ ଲାଗିଛି। ବହୁ ସମୟରେ ଦେଖାଦେଉଥିବା ବାତ୍ୟା ସମୟରେ ସହର ପାଣିରେ ଉବୁଟୁବୁ ହେବାରେ ଲାଗିଛି। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଆକ୍ସନ୍‌ ପ୍ଲାନ୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share