Advertisement
Categories: ଜାତୀୟ

ମାରାଥନ୍‌ରେ ୮୦ ବର୍ଷୀୟା

ମୁମ୍ବାଇ,୨୦ା୧:ଆଗ୍ରହ ଓ ଇଚ୍ଛାଶକ୍ତି ଆଗରେ କୌଣସି ସମସ୍ୟା ଦୀର୍ଘସ୍ଥାୟୀ ନୁହେଁ। ମୁମ୍ବାଇର ୮୦ ବର୍ଷୀୟା ଭାରତୀ ଜିତେନ୍ଦ୍ର ପାଠକ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ନିକଟରେ ୧୮ତମ ଟାଟା ମୁମ୍ବାଇ ମାରାଥନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପିଲାଠାରୁ ଆରମ୍ଭ କରି ପ୍ରତ୍ୟେକ ବୟସ ବର୍ଗର ଲୋକେ ଏଥିରେ ସାମିଲ ହୋଇଥିଲେ। ତେବେ ଏହି ମାରାଥନ୍‌ରେ ଦୌଡ଼ୁଥିବା ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ମୁମ୍ବାଇର ଭାରତୀ। ସେ ମାରାଥନ୍‌ ଦୌଡ଼ୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଶାଢ଼ି ପିନ୍ଧି, ପାଦରେ ସ୍ନିକର (ଜୋତା) ମଡ଼େଇ ଏବଂ ହାତରେ ତ୍ରିରଙ୍ଗା ଧରି ଭାରତୀ ମାରାଥନ୍‌ ଦୌଡ଼ୁଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ୫୧ ମିନିଟ୍‌ର ଏହି ମାରାଥନ୍‌ରେ ଭାରତୀ ୪.୨ କିଲୋମିଟର ଦୌଡ଼ିଛନ୍ତି। ତାଙ୍କର ଏହା ପଞ୍ଚମ ମାରାଥନ୍‌ ଦୌଡ଼ ଥିଲା। ଫିଟ୍‌ ରହିବାକୁ ପସନ୍ଦ କରୁଥିବା ୮୦ ବର୍ଷୀୟା ଭାରତୀ ପ୍ରତିଦିନ ସକାଳେ ଚାଲୁଥିବା କହିଛନ୍ତି। ଏଥିସହ ସେ ଜଣେ ଭାରତୀୟ ବୋଲି ଗର୍ବିତ। ଦେଶର ଐତିହ୍ୟ ବିଷୟରେ ବିଶ୍ୱର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ଲୋକ ଜାଣନ୍ତୁ ବୋଲି ସେ ମାରାଥନ୍‌ରେ ତ୍ରିରଙ୍ଗା ପତାକା ଧରିଥିବା କହିଛନ୍ତି। ପ୍ରତିବର୍ଷ ଜାନୁୟାରୀ ମାସ ତୃତୀୟ ରବିବାର ଟାଟା ମୁମ୍ବାଇ ମାରାଥନ୍‌ର ଆୟୋଜନ କରାଯାଏ। ସିନେ କଳାକାରଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ଏଥିରେ ସାମିଲ ହେଉଥିବାବେଳେ ଚଳିତବର୍ଷ ୫୫,୦୦୦ ଲୋକ ଯୋଗ ଦେଇଥିଲେ।
ଭାରତୀଙ୍କ ନାତୁଣୀ ଡିମ୍ପଲ ମେହେଟା ଫର୍ନାଣ୍ଡିଜ୍‌ ତାଙ୍କର ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିଥିବାବେଳେ ୟୁଜର୍ସ ଭାରତୀଙ୍କୁ ଖୁବ୍‌ ପ୍ରଶଂସା କରି ବହୁ କମେଣ୍ଟ ଦେଇଛନ୍ତି। ଓ୍ବାଓ, ନାନୀ ସମସ୍ତଙ୍କ ପାଇଁ ପ୍ରେରଣା କହି ଜଣେ ୟୁଜର୍ସ କମେଣ୍ଟ ଲେଖିଥିବାବେଳେ ଆଉ ଜଣେ ଲେଖିଛନ୍ତି, ନାନୀ ମାରାଥନ୍‌ ଦୌଡ଼ୁଥିବା ଦେଖି ଖୁସି ଲାଗିଲା। ବୟସ କେବଳ ଏକ ସଂଖ୍ୟାମାତ୍ର।

Share