Categories: ଜାତୀୟ

ବିପର୍ଯ୍ୟୟ ପରିଚାଳନା ପାଇଁ ୮୦୦୦ କୋଟି ବଜେଟ ଘୋଷଣା, ୩ ଯୋଜନାରେ ହେବ ଖର୍ଚ୍ଚ…

ନୂଆଦିଲ୍ଲୀ,୧୩।୬ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି। ଆଲୋଚନା ପରେ ଶାହା ମଙ୍ଗଳବାର ବିପର୍ଯ୍ୟୟ ପରିଚାଳନା ପାଇଁ ତିନୋଟି ଯୋଜନା ଘୋଷଣା କରିଛନ୍ତି। ତିନୋଟି ଯୋଜନା ପାଇଁ ଅମିତ ଶାହା ୮୦୦୦ କୋଟିରୁ ଅଧିକ ଟଙ୍କା ଜାରି କରିଛନ୍ତି।

ଶାହା କହିଛନ୍ତି ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏବଂ ରାଜ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଆମେ ବହୁତ କିଛି ହାସଲ କରିଛୁ ଏବଂ ଏହାକୁ କେହି ଅସୱୀକାର କରିପାରିବେ ନାହିଁ। କିନ୍ତୁ ଆମେ କେବଳ ଏଥିରେ ସନ୍ତୁଷ୍ଟ ହୋଇପାରିବା ନାହିଁ, କାରଣ ବିପର୍ଯ୍ୟୟ ସେମାନଙ୍କର ରୂପ ପରିବର୍ତ୍ତନ କରିଛି। ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଇଛି। ଆମକୁ ବ୍ୟାପକ ଯୋଜନା କରିବାକୁ ପଡିବ। ବର୍ତ୍ତମାନ କିଛି ନୂଆ କ୍ଷେତ୍ରରେ ମଧ୍ୟ ବିପର୍ଯ୍ୟୟ ଆସୁଛି। ଏହି ସବୁ ପାଇଁ ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡିବ । ଯେଉଁ ରାଜ୍ୟରେ ଆଣବିକ ଶକ୍ତି କେନ୍ଦ୍ର ସ୍ଥାପନ କରାଯାଉଛି, ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କୁ କଠୋର ପ୍ରୋଟୋକଲ ଦିଆଯାଇଛି।

ଏହି ଯୋଜନାଗୁଡିକ ବିଷୟରେ ସୂଚନା ଦେଇ ଶାହା କହିଛନ୍ତି ଆଧୁନିକ ସେବା ତଥା ରାଜ୍ୟରେ ଏହାର ବିସ୍ତାର ପାଇଁ ୫୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମଦାବାଦ ଏବଂ ପୁଣେ ଭଳି ସହରରେ ବନ୍ୟା ପରିସ୍ଥିତି ହ୍ରାସ ପାଇଁ ୨୫୦୦ କୋଟି ଟଙ୍କା ବ୍ୟବହାର କରାଯିବ। ଏହା ବ୍ୟତୀତ ଜାତୀୟ ଭୂସ୍ଖଳନ ବିପଦ ହ୍ରାସ ଯୋଜନା ଅଧୀନରେ ୧୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୮୨୫ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ବୈଠକରେ ଯୋଗ ଦେଇଥିବା ବିଭିନ୍ନ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀଙ୍କୁ ସମ୍ବୋଧିତ କରି ଶାହା କହିଛନ୍ତି ରେକର୍ଡ ସ୍ତରରେ ଆପଣଙ୍କ ଦ୍ୱାରା ଉପସ୍ଥାପିତ ମତାମତ ଅଧ୍ୟୟନ କରିବା ପରେ ବିଭାଗ ରାଜ୍ୟମାନଙ୍କୁ ସୂଚନା ପ୍ରଦାନ କରିବ। ଭବିଷ୍ୟତରେ ଆମେ କଣ କରିପାରିବା ସେ ବିଷୟରେ ଆଲୋଚନା କରିବା ।

ଆରବ ସାଗରରେ ପ୍ରବଳ ଘୂର୍ଣ୍ଣିବଳୟ ବିପରଜୟ ଗୁଜରାଟ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟ-କେନ୍ଦ୍ର ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ଏହି ସମୟରେ ଶାହା ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

 

Share