Categories: ଜାତୀୟ

କାମଧନ୍ଦା ନ ପାଇ ଦିଲ୍ଲୀ ଛାଡ଼ିଲେଣି ୮ ଲକ୍ଷ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ, ୨୨।୫: କରୋନା ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ କାମଧନ୍ଦା ନ ପାଇ ୪ ସପ୍ତାହ ମଧ୍ୟରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ରାଜଧାନୀ ଦିଲ୍ଲୀ ଛାଡ଼ିଲେଣି। ଦିଲ୍ଲୀ ପରିବହନ ବିଭାଗ ରିପୋର୍ଟରୁ ଏହା ଜଣାପଡ଼ିଛି। ଉକ୍ତ ରିପୋର୍ଟରେ ଏପ୍ରିଲ ୧୯ରୁ ମେ’ ୧୪ ମଧ୍ୟରେ ୮,୦୭,୦୩୨ ପ୍ରବାସୀ ଶ୍ରମିକ ଦିଲ୍ଲୀ ଛାଡ଼ିଛନ୍ତି। ସେମାନେ ବସ୍‌ ଯୋଗେ ନିଜ ରାଜ୍ୟକୁ ଚାଲିଯାଇଛନ୍ତି। କେବଳ ପ୍ରଥମ ସପ୍ତାହରେ ୩,୭୯,୬୦୪ ରାଜଧାନୀ ଛାଡ଼ିଥିଲେ। ଏନେଇ ଦିଲ୍ଲୀ ଏନ୍‌ସିଟି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଅନ୍ୟ ପଡୋଶୀ ରାଜ୍ୟର ପରିବହନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ସେମାନଙ୍କ ପ୍ରତ୍ୟାବର୍ତ୍ତନକୁ ସୁଗମ କରିଥିଲା। ୪ ସପ୍ତାହ ମଧ୍ୟରେ ଆନ୍ତଃରାଜ୍ୟ ବସ୍‌ଗୁଡ଼ିକ ୨୧,୮୭୯ ଟିପ୍‌ କରିଥିବା ଉକ୍ତ ରିପୋର୍ଟରେ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରଥମେ ଏପ୍ରିଲ ୧୯ରେ ଲକ୍‌ଡାଉନ ଘୋଷଣା କରିଥିଲେ ଓ ପରେ ଏହାକୁ ବଢ଼ାଇଥିଲେ।

Share