ଖେଳ ଦେଖିବେ ମୁଖ୍ୟମନ୍ତ୍ରୀ: ଟୁଇନ୍‌ ସିଟିକୁ ଜଗିଛନ୍ତି ୮୨ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ଭାରତ-ଦକ୍ଷିଣ ଆଫ୍ରିକା ଟି -୨୦ ମ୍ୟାଚ୍‌ ପାଇଁ ଟୁଇନ୍‌ ସିଟିରେ କମିଶନରେଟ୍‌ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଟକରେ ୬୨ ପ୍ଲାଟୁନ ଫୋର୍ସ ନିୟୋଜିତ ଥିବା ବେଳେ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିଛନ୍ତି। ୩ ଜଣ ଡିସିପି, ୭ ଜଣ ଆଡିଶନାଲ ଡିସିପି, ୩୫ ଜଣ ଆଇଆଇସି ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ରବିବାର ଅପରାହ୍ନ ୩ଟାରୁ ଦର୍ଶକଙ୍କ ପାଇଁ ଗେଟ୍‌ ଖୋଲାଯିବ। ଷ୍ଟାଡିୟମ ଭିତରେ ପାଖାପାଖି ୫୦ହଜାର ଓ ବାହାରେ ୧୫ରୁ ୨୦ ହଜାର ଦର୍ଶକ ରହିବେ। ୨୦ହଜାରରୁ ଅଧିକ ବାଇକ୍‌ ପାର୍କିଂ ହେବାର ସମ୍ଭାବନା ରହିଛି। ଏସବୁକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ସଜାଗ ରହିଛି। ମାସ୍କ ପିନ୍ଧି ନ ଥିଲେ ଷ୍ଟାଡିୟମ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଷ୍ଟାଡିୟମ ଭିତରକୁ ଦର୍ଶକ ଖାଦ୍ୟ, ପାଣି ବୋତଲ, ଲାଠି, ବ୍ୟାଗ, ଦିଆସିଲି, ଖୁଚୁରା ପଇସା ନେଇପାରିବେନି । ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରାଯିବ। ସାଧାରଣ ଦର୍ଶକଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ସ୍ଥଳ କରାଯାଇଛି । ପ୍ରତ୍ୟେକ ଗ୍ୟାଲେରୀରେ ପୋଲିସ ମୁତୟନ ରହିବ। ଷ୍ଟାଡିୟମ ଭିତରେ କୁଇକ୍‌ ଆକ୍ସନ ଟିମ୍‌ ରହିବ। କୌଣସି ବ୍ୟକ୍ତି ବିଶୃଙ୍ଖଳା କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳ ଦେଖିବାର ସୂଚନା ରହିଛି । ପ୍ରଥମ ବ୍ୟକ୍ତି ଭାବେ ଅଫ୍‌ଲାଇନ ଟିକେଟ କିଣିଥିଲେ ନବୀନ। ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବାରବାଟୀ ଯାଇ ଖେଳ ଦେଖିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

Share