୧୧ ବର୍ଷରେ ୮୪୩ ହାତୀ ମୃତ

ଯାଜପୁର ଅଫିସ,୩୧ା୩: ରାଜ୍ୟରେ ୨୦୧୦-୧୧ରୁ ୨୦୨୦-୨୧ ମାର୍ଚ୍ଚ ୨୨ ସୁଦ୍ଧା ୧୧ ବର୍ଷ ମଧ୍ୟରେ ୮୪୩ ହାତୀଙ୍କ ମୃତ୍ୟୁ ହୋଇଛି। ସେହି ବିଶାଳକାୟ ପ୍ରାଣୀଙ୍କ ମୃତ୍ୟୁକୁ ରୋକିବା ପାଇଁ ୧୪ ହାତୀ ଚଲାପଥ (ଏଲିଫ୍ୟାଣ୍ଟ କରିଡର) ଏବଂ ୩ ହାତୀ ସଂରକ୍ଷିତ ଅଞ୍ଚଳ (ଏଲିଫ୍ୟାଣ୍ଟ ରିଜର୍ଭ) ଯୋଜନା କାର୍ଯ୍ୟକାରୀ ହେଉଛି। ଗତ ୧୦ ବର୍ଷରେ ହାତୀ-ମଣିଷ ବିବାଦର ସମାଧାନ ପାଇଁ ବନ୍ୟପ୍ରାଣୀ ସଂସ୍ଥା ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବଜେଟରେ ୧୧୫୯୧.୨୨୪୨୯ ଲକ୍ଷ ଓ କାମ୍ପା ଯୋଜନାରେ ୧୦୭୦.୬୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କେବଳ ଚିହ୍ନଟ କରିଡରର ପୁନରୁଦ୍ଧାର କାର୍ଯ୍ୟରେ ୩୧୪.୬୫୦୭୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ବିଧାୟକ ମୋହନଚରଣ ମାଝିଙ୍କ ଚଳିତ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ମିଳିଛି। ହେଲେ ଯୋଜନା ଅନୁଯାୟୀ ଆବଣ୍ଟିତ ଅନୁଦାନ ଠିକ୍‌ ଭାବେ ଖର୍ଚ୍ଚ ହେଉ ନ ଥିବାରୁ ହାତୀ ମୃତ୍ୟୁ ଓ ଉପଦ୍ରବ ସଂଖ୍ୟା କମିବାର ନାଁ ଧରୁନାହିଁ ବୋଲି ମତପ୍ରକାଶ ପାଇଛି।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖଙ୍କ ତଥ୍ୟ ଅନୁସାରେ ହାତୀ-ମଣିଷ ବିବାଦର ସମାଧାନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସ୍ବଳ୍ପ ଓ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍ବଳ୍ପମିଆଦୀ ଯୋଜନାରେ ୨୦୧୪-୧୫ରୁ ୨୦୨୦-୨୧ ମଧ୍ୟରେ ପ୍ରତିବର୍ଷ ସ୍ଥାନୀୟ ଲୋକଙ୍କୁ ବନ୍ୟଜନ୍ତୁ ଘଉଡାଇବା, ବନ୍ୟଜନ୍ତୁ ଶିକାର ନିରୋଧକ, ହସ୍ତୀ ସୁରକ୍ଷା ଦଳ ଗଠନ କରାଯାଇ ୧୨୨ ଜଣ ଗଜବନ୍ଧୁଙ୍କୁ ନିୟୋଜିତ କରାଯାଇଛି। ଏହାସହ ସମସ୍ତ ବନଖଣ୍ଡ ଓ ବିଭାଗୀୟ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାମ କରୁଛି। ବିପଦ ଆଶଙ୍କା ଥିବା ହାତୀଙ୍କ ବେକରେ ରେଡିଓକୋଲାର ଲଗାଯାଇ ସେମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖାଯାଉଛି। ଜନବସତି ଅଞ୍ଚଳକୁ ବନ୍ୟଜନ୍ତୁ ପ୍ରବେଶ ନିରୋଧ ନିମନ୍ତେ ୧୦୪୭.୮୮ କିଲୋମିଟର ସୌରବାଡ଼ ଏବଂ ୧୨୫୦.୩୬ କିଲୋମିଟର ଖାଇ(ଟ୍ରେଞ୍ଚ) ହୋଇଛି। ଦୀର୍ଘମିଆଦୀ ଯୋଜନାରେ ଗତ ୬ ବର୍ଷରେ ୮୯୫ ଜଳାଶୟ ଖନନ ହୋଇଛି। ୨୦୨୦-୨୧ ବର୍ଷରେ ୨୨୩ ଜଳାଶୟ ଖନନ ଯୋଜନା ରହିଛି। ଏହାର ଚାରିପାର୍ଶ୍ୱରେ ୪୦୫୦ ଫଳ ଉପଯୋଗୀ ଚାରାରୋପଣ ବ୍ୟବସ୍ଥା ଅଛି। ଏହାସହ ୬୦୭ ହେକ୍ଟର ପରିମିତ ଜଙ୍ଗଲ ଜମିରେ ବନ୍ୟଜନ୍ତୁ ଖାଦ୍ୟ ଉପଯୋଗୀ ଚାରାରୋପଣ ଓ ୩୭୯୫ ହେକ୍ଟର ଜଙ୍ଗଲ ଜମିରେ ତୃଣଭୋଜି ପ୍ରାଣୀଙ୍କ ପାଇଁ ଘାସପଡ଼ିଆ ସୃଷ୍ଟି କରାଯାଇଛି। ଗତ ୬ ବର୍ଷ ମଧ୍ୟରେ ୧୨୫ ହେକ୍ଟର ଚଲାପଥର ପୁନରୁଦ୍ଧାର କାର୍ଯ୍ୟ ହୋଇଛି। ଏହାବାଦ୍‌ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ନୟାଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲା ଅଞ୍ଚଳରେ ୪୨୧ କିମି ଲମ୍ବ ଓ ୮୭୦.୬ ବର୍ଗକିମି ଚଲାପଥ ଚିହ୍ନଟ କରାଯାଇଛି। ହାତୀ ଚଲାପଥରେ ଜଳାଶୟ ଖନନ, ଜଳଉତ୍ସର ପୁନରୁଦ୍ଧାର, ବିଦ୍ୟୁତ୍‌ ତାରର ରକ୍ଷଣାବେକ୍ଷଣ, ହାତୀଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷ ରୋପଣ, ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରେଞ୍ଚ ଖୋଲିବା ଓ ଗ୍ରାମରେ ସଚେତନତା ସୃଷ୍ଟି ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହେଲେ ବିଭାଗୀୟ ଆନ୍ତରିକତା ଅଭାବରୁ ହାତୀଙ୍କ ଜୀବନ ସବୁବେଳେ ବିପଦ।
ମୟୂରଭଞ୍ଜ, ମହାନଦୀ ଓ ସମ୍ବଲପୁର ନାମରେ ୮୫୦୮.୯୫ ବର୍ଗକିମି ପରିସୀମାକୁ ନେଇ ହାତୀ ସଂରକ୍ଷିତ ଅଞ୍ଚଳ ହୋଇଛି। କରିଡର ପୁନରୁଦ୍ଧାର ନାମରେ ୧୦୮ ହେକ୍ଟରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜମିରେ ୯,୧୭,୦୦୦ ବୃକ୍ଷରୋପଣ ହୋଇଥିବା ତଥ୍ୟରେ ଦର୍ଶାଯାଇଛି। ଏହିସବୁ କାର୍ଯ୍ୟରେ ଉପରୋକ୍ତ ଭାବେ ଅର୍ଥ ବିନିଯୋଗ ହୋଇଛି। ତେବେ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏଥିପାଇଁ ବର୍ଷକୁ ବର୍ଷ ହାତୀ ମୃତ୍ୟୁସଂଖ୍ୟା ବୃଦ୍ଧିର କାରଣ ବୋଲି କୁହାଯାଉଛି। ୨୦୧୦-୧୧ରେ ୮୩, ୨୦୧୧-୧୨ରେ ୬୮, ୨୦୧୨-୧୩ରେ ୮୨, ୨୦୧୩-୧୪ରେ ୭୦, ୨୦୧୪-୧୫ରେ ୫୪, ୨୦୧୫-୧୬ରେ ୮୬, ୨୦୧୬-୧୭ରେ ୭୫, ୨୦୧୭-୧୮ରେ ୭୮, ୨୦୧୮-୧୯ରେ ୯୩, ୨୦୧୯-୨୦ରେ ୮୨ ଓ ୨୦୨୦-୨୧ ମାର୍ଚ୍ଚ ୨୨ ସୁଦ୍ଧା ୭୨ ହାତୀର ମୃତ୍ୟୁ ହୋଇଛି। ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବା ଯୋଗୁ ଚାଷୀଙ୍କ ଧାନ କ୍ଷେତ ଓ ବାଡି ବଗିଚା ଉଜୁଡିବାରେ ଲାଗିଛି। କେତେକାଂଶରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ମଧ୍ୟ ଯାଉଛି।
ରାଜ୍ୟରେ ହାତୀମାନଙ୍କ ଚଳପ୍ରଚଳ ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନର ଅଭାବକୁ ଦୂର କରିବା ନିମନ୍ତେ ମହାନଦୀ ହାତୀ ସଂରକ୍ଷଣ ଅଞ୍ଚଳର ଆୟତନ ୧୦୩୮.୩ ବର୍ଗ କିମି ରୁ ୨୧୮୧.୫୨୧ବର୍ଗ କିମିକୁ ଏବଂ ସମ୍ବଲପୁର ହାତୀ ସଂରକ୍ଷଣ ଅଞ୍ଚଳ ୪୨୬.୯୧ ରୁ ୧୭୯୭.୦୪୮ ବର୍ଗ କିମିକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ସୂଚନା ଦେଇଛନ୍ତି।

-ହର୍ଷବର୍ଦ୍ଧନ ବେହେରା

Share