ଘୁମୁସର ବନଖଣ୍ଡରେ ୮୫ ହାତୀ

ଭଞ୍ଜନଗର,୨୩।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୮୫ ହାତୀ ଥିବା ଜଣାପଡ଼ିଛି। ସେଥିମଧ୍ୟରେ ଉତ୍ତର ଘୁମୁସର ବନଖଣ୍ଡରେ ୪୫ ଏବଂ ୪୦ ଟି ହାତୀ ଦକ୍ଷିଣ ଘୁମୁସର ବନଖଣ୍ଡରେ ଅଛିନ୍ତି। ଏତେ ପରିମାଣର ହାତୀ ଏହି ବନଖଣ୍ଡକୁ ଖାଦ୍ୟ ଅନ୍ବେଷଣରେ ଚାଲି ଆସିଥିବାରୁ ସେମାନଙ୍କ ସୁରକ୍ଷା ଦୁଇ ବିଭାଗକୁ ଘାରିଛି। ଏହିଭଳି ପରିସ୍ଥିତିରେ ସନ୍ଧ୍ୟା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ଦୈନନ୍ଦିନ ବ୍ୟାପକ ଫସଲ କ୍ଷତି କରୁଛନ୍ତି। ଏହି ସମୟରେ ହାତୀମାନେ ବିପଦରେ ପଡ଼ିବା ଆଶଙ୍କା ରହିଛି। ତେଣୁ ପ୍ରତ୍ୟେକ ମାସରେ ବିଦ୍ୟୁତ୍‌ ଏବଂ ବନ ବିଭାଗ ମଧ୍ୟରେ ସମନ୍ବୟ ବୈଠକ ହେଉଛି। ତେଣୁ ଶୁକ୍ରବାର ସନ୍ଧ୍ୟାରେ ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଏକ ସମନ୍ବୟ ବୈଠକ ହୋଇଥିଲା। ବୈଠକରେ ହାତୀମାନେ କିଭଳି ସୁରକ୍ଷିତ ରହିପାରିବେ, ଲୋକଙ୍କ ଫସଲ ସୁରକ୍ଷା, ହାତୀ ମଣିଷ ମଧ୍ୟରେ ଯେଭଳି ଲଢେଇ ନହେବ ସେ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଅଧ୍ୟକ୍ଷତା କରିଥିଲେ। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଟାଟା ପାୱାରର ଯନ୍ତ୍ରୀ, ରେଞ୍ଜର କୁମାର ବେହେରା, ବିମ୍ବାଧର ସାହୁ, ଆଶାଲତା ଦିଗାଲ, ସୁଜତା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଯେଉଁ ଅଞ୍ଚଳରେ ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ୍‌ ହୁକିଂ ହେବ ସମ୍ପୃକ୍ତ ଅଞ୍ଚଳରେ ଏକ ମାସ ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ହେବ। ତେଣୁ ଲୋକେ ବିଭାଗକୁ ସହଯୋଗ କରି ହୁକିଂ ସମ୍ପର୍କରେ ଆଗୁଆ ସୂଚନା ଦେବା ପାଇଁ ବୈଠକରେ ନିବେଦନ କରାଯାଇଛି।
ସୂଚନାଯୋଗ୍ୟ, ଜଙ୍ଗଲ ଅଞ୍ଚଳରେ ୫ ମିଟର ଉଚ୍ଚତାରେ ବିଦ୍ୟୁତ ତାର ଟଣା ଯିବା କଥା। କିନ୍ତୁ ଏବେବି ଶତାଧିକ ସ୍ଥାନରେ ବିଦ୍ୟୁତ୍‌ ତାର ଆବଶ୍ୟକ ଉଚ୍ଚତାରେ ନ ଥିବା ଜଣାପଡିଛି। ଜଙ୍ଗଲ ନିକଟବର୍ତ୍ତୀ କେତେକ ସ୍ଥାନରେ ଟ୍ରାନ୍ସଫର୍ମର ଗୁଡିକ ମୁକୁଳା ପଡ଼ିଛି। ତେଣୁ ଭବିଷ୍ୟତରେ ଅଘଟଣ ଘଟିବା ଆଶଙ୍କା ରହିଛି। ଅଘଟଣକୁ ଏଡାଇବାକୁ ଯାଇ ଦୁଇ ବିଭାଗ ମିଳିତ ଭାବେ ସନ୍ଧ୍ୟା ହେଲେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ବିଦ୍ୟୁତ୍‌ ସେବା ବିଛିନ୍ନ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି। ଫଳରେ ଅନେକ ଗ୍ରାମବାସୀ ରାତି ହେଲେ ବିଦ୍ୟୁତ ସେବାରୁ ବିଗତ ଦିନରେ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପଟେ ରାଜ୍ୟ ସରକାର ହାତୀ କରିଡରଗୁଡିକରେ ବିଦ୍ୟୁତ୍‌ ସେବାରେ ସୁଧାର ଆଣିବା ପାଇଁ ବ୍ୟାପକ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ଉକ୍ତ ଅର୍ଥ ମଧ୍ୟ ସଦବିନିଯୋଗ ହେଉନଥିବା ଅଭିଯୋଗ ହେଉଛି।

Share