ବାଲୁକୁରୀ ଛକରେ ବୋମାମାଡ଼ : ଜଣେ ଗୁରୁତର, ୨ ଆହତ

ଚାନ୍ଦବାଲି,୧୬।୯(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଓରାସାହି ପଞ୍ଚାୟତ ବାଲୁକୁରୀ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ଗୁରୁତର ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ଗୁରୁତର ଜଣଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଓରାସାହି ପଞ୍ଚାୟତର ଯୋଗୀପୋଖରୀ ଗାଁର ବସନ୍ତ ସାମଲ ଚିଙ୍ଗୁଡି ଚାଷ କରିବା ସହିତ ଚାଷ ନିମନ୍ତେ ବିଭିନ୍ନ ସାମଗ୍ରୀର ମଧ୍ୟ ବ୍ୟବସାୟ(ଫାଇନାନ୍ସର) କରନ୍ତିି। ଗାଁ ନିକଟସ୍ଥ ଚାନ୍ଦବାଲି-ଧାମରା ରାସ୍ତାର ବାଲୁକୁରୀ ଛକ ନିକଟରେ ତାଙ୍କର କେତେକ ଚିଙ୍ଗୁଡି ଘେରି ରହିଛି। ରବିବାର ବିଳମ୍ବିତ ରାତିରେ ସେ ନିଜର ଚିଙ୍ଗୁଡି ପୋଖରୀର ଚିଙ୍ଗୁଡିଙ୍କୁ ଖାଦ୍ୟ ଦେଲା ପରେ କର୍ମଚାରୀ ଗୌରହରି ମାଝି ଏବଂ ପିନୁ ରାଉତଙ୍କ ସହିତ ଏକ ବାଇକ୍‌ରେ ଘରକୁ ଫେରୁଥିବାବେଳେ ହଠାତ କେତେକ ଦୁର୍ବୃତ୍ତ ଆସି ଏମାନଙ୍କ ଉପରକୁ ତିନୋଟି ବୋମା ମାଡ଼ କରି ଫେରାର ହୋଇ ଯାଇଥିଲେ। ଏଥିରେ ବସନ୍ତ, ଗୌରହରି ଓ ପିନୁ ଆହତ ହୋଇଥିଲେ। ତେବେ ବୋମା ମାଡ଼ର ସଠିକ କାରଣ ଜଣା ପଡ଼ିନାହିଁ।ଚିଙ୍ଗୁଡି ଚାଷର ପଇସା ନେଣ ଦେଣକୁ ନେଇ ଏପରି ବୋମା ମାଡ଼ ହୋଇଥିବା ଆଲୋଚନା ହେଉଛି। ଖବର ପାଇ ଚାନ୍ଦବାଲି ଥାନାଧିକାରୀ ତାପସ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହିତ ଲୋକଙ୍କୁ ପଚରାଉଚରା କରିଛନ୍ତି।