୯ ପଞ୍ଚାୟତର ୮୬ ଗାଁ ଜଳବନ୍ଦୀ

ଆରଡ଼ି/ଧୂଷୁରୀ, ୪ା୮(ଦୀପ୍ତି ରଞ୍ଜନ ନାୟକ/କପିଲଦେବ ବିଶ୍ୱାଳ): ବୈତରଣୀ ନଦୀର ବନ୍ୟାଜଳ ଭଦ୍ରକ ଜିଲାର ଧୂଷୁରୀ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନ୧୧ଟାରେ ପହଁଚିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ୯ ପଞ୍ଚାୟତର ୮୬ ଗାଁ ପ୍ରଭାବିତ ହୋଇଥିବା ବେଳେ ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି। ଭଦ୍ରକ-ଆରଡ଼ି ରାଜ୍ୟ ରାଜପଥର ସୂର୍ଯ୍ୟପୁର, ଧୂଷୁରୀ, ପାୟାସାହି, ପନ୍ଦରବାଟିଆ ଆଦି ସ୍ଥାନରେ ୬ ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେଜଣଙ୍କ ଘରେ ବନ୍ୟାପାଣି ମଧ୍ୟ ପଶିଯାଇଛି। ତୋଟାସାହିଠାରେ ନଦୀବନ୍ଧରେ ଘଳିଆ ପଡ଼ିବାରୁ ପାଳସାହି ପଞ୍ଚାୟତ ଅନ୍ତର୍ଗତ ୫ ଗାଁର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି ଆରଡ଼ି ଅଞ୍ଚଳରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିବାରୁ ୪ ପଞ୍ଚାୟତର ଚାଷଜମି ଜଳମଗ୍ନ ହୋଇଛି। ୨୦ନଂ. ଜାତୀୟ ରାଜପଥର ବୋଡ଼କ ନିକଟରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ନଦୀବନ୍ଧରେ ବାଲିବସ୍ତା ଦିଆଯାଇଛି। ଫଳରେ ଆରଡ଼ି- ଯାଜପୁର ଗମନାଗମନ ବାଧାପ୍ରାପ୍ତ ହୋଇଛି ।

Share