ନୂଆଦିଲ୍ଲୀ, ୯।୫: ଦିଲ୍ଲୀ ପୋଲିସ ଶନିବାର ଆଫଗାନ ଦମ୍ପତିଙ୍କଠାରୁ ୧୨୫ କିଲୋଗ୍ରାମ ହେରୋଇନ୍ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୮୬୦ କୋଟି ଟଙ୍କା ହେବ। ଏହି ଦମ୍ପତି ଓ୍ବାଜିରାବାଦର ଏକ ଭଡ଼ାଘରେ ରହୁଥିଲେ। ସେମାନଙ୍କୁ ଗିରଫ କରାଯାଇଛି। ଏତେ ପରିମାଣରେ ମାଦକଦ୍ରବ୍ୟ ଜବତ କରିବା ଦିଲ୍ଲୀ ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ରାଜଧାନୀରେ ନିଶା ଚୋରା କାରବାର ସମ୍ପର୍କରେ ପଶ୍ଚିମ ଦିଲ୍ଲୀର ବିଭିନ୍ନ ଥାନାକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ଏସିପି ଜଗପାଲ ସିଂଙ୍କ ନେତୃତ୍ୱରେ ଏକ ଟିମ୍ ନିଶାବେପାରୀଙ୍କୁ ଧରିବା ଲାଗି ଜାଲ ବିଛାଇଥିଲା। ଖୟାଲାରେ ଥିବା ଏକ ଗ୍ୟାସ୍ ଏଜେନ୍ସି ନିକଟକୁ ହେରୋଇନ୍ ବେପାରୀମାନେ ଆସୁଥିବା ଖବର ପାଇ ପୋଲିସ ଉକ୍ତ ଅଞ୍ଚଳ ଉପରେ ନଜର ରଖିଥିଲା। ଗଣ୍ଡା ନାଲା ନିକଟରେ ଏକ କାର୍ରେ ଅପେକ୍ଷା କରିଥିବା ଆଫଗାନ ଦମ୍ପତିଙ୍କୁ ସନ୍ଦେହ କରି ପୋଲିସ ଟିମ୍ ସେମାନଙ୍କ କାର ତଲାସି କରିବାରୁ ୧୨୫ କିଲୋଗ୍ରାମ ହେରୋଇନ ମିଳିଥିଲା।