ପନିପରିବା ଦାମ୍‌ ବୃଦ୍ଧି ଯୋଗୁ ୮୭ ପ୍ରତିଶତ ଭାରତୀୟ ପରିବାର ପ୍ରଭାବିତ..

ନୂଆଦିଲ୍ଲୀ, ୧୨।୪ : ଦେଶରେ ପନିପରିବା ଦାମ୍‌ ବୃଦ୍ଧି ଯୋଗୁ ଲୋକଙ୍କ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏକ ସର୍ଭେ ଅନୁସାରେ ଏହାଯୋଗୁ ୮୭ ଭାରତୀୟ ପରିବାର ପ୍ରଭାବିତ ହୋଇଛନ୍ତି। ଦେଶର ୩୧୧ ଜିଲାରେ ହୋଇଥିବା ଏହି ସର୍ଭେରେ ୧୧,୮୦୦ ଲୋକଙ୍କୁ ସାମିଲ କରାଯାଇଥିଲା।

ସର୍ଭେରେ ୬୪ ପୁରୁଷ ଏବଂ ୩୬ ପ୍ରତିଶତ ମହିଳାଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୮ ପ୍ରତିଶତ ପ୍ରଥମଶ୍ରେଣୀ ସହରରେ ବାସ କରୁଥିବାବେଳେ ୨୯ ପ୍ରତିଶତ ଦ୍ୱିତୀୟ ଏବଂ ୨୩ ପ୍ରତିଶତ ତୃତୀୟ ଶ୍ରେଣୀ ସହର ତଥା ଗ୍ରାମୀଣ ଅଞ୍ଚଳରେ ବାସ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ମାର୍ଚ୍ଚ ମାସରେ ପନିପରିବା ଦର ବୃଦ୍ଧି ନେଇ ଲୋକଙ୍କ ମତାମତ ଆଧାରରେ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଦରଦାମ୍‌ ବୃଦ୍ଧିର ପ୍ରଭାବ ପ୍ରତି ୧୦ରୁ ୯ ଘରେ ଦେଖିବାକୁ ମିଳିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୩୭ ପ୍ରତିଶତ ଲୋକ ସେମାନଙ୍କର ଖର୍ଚ୍ଚ ପନିପରିବାରେ ୨୫ ପ୍ରତିଶତ ବୃଦ୍ଧି ପାଇଥିବା କହିଥିଲେ। ୨୯ ପ୍ରତିଶତ ଲୋକ ଖାଇବା ତେଲ ବ୍ୟବହାର କରିବା କମାଇଥିବା କହିଥିଲେ।

ସୂଚନାଯୋଗ୍ୟ ଭାରତ ୮୫ ପ୍ରତିଶତ ସୋୟାବିନ୍‌ ତେଲ ଆର୍ଜେଣ୍ଟିନା ଏବଂ ବ୍ରାଜିଲ୍‌ରୁ ଆମଦାନୀ କରୁଥିବାବେଳେ ୯୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ରୁଷିଆ ଏବଂ ୟୁକ୍ରେନ୍‌ରୁ ଆମଦାନୀ କରିଥାଏ।

Share