
ବ୍ରହ୍ମପୁର, ୨୮।୩(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହକାରୀ ଦୌରା ଜଜ ତଥା ସ୍ବତନ୍ତ୍ର ଟ୍ରାକ କୋର୍ଟ ବିଚାରପତି ସୌଦାମିନି ସିଙ୍ଗ ଜନୈକା ୧୪ ବର୍ଷ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଉକ୍ତ ମାମଲାର ୧୮ ବର୍ଷ ପରେ ପ୍ରମାଣ ମିଳିଥିବାରୁ ବିଚାରପତି ଜଣେ ବୃଦ୍ଧଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ଜରଡ଼ା ଥାନା ଅଞ୍ଚଳର ସାହେବ ବାଡ଼ତ୍ୟା (୮୭)। ତାକୁ ୭ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ପାଇ ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।
ଘଟଣାରୁ ପ୍ରକାଶ ଯେ, ଜରଡ଼ା ଅଞ୍ଚଳର ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଜଣେ ବୃଦ୍ଧ ବଳାତ୍କାର କରିଥିଲେ। ଏନେଇ ଅଭିଯୋଗ ପରେ ପୋଲିସ ୨୨/୦୮ ରେ ଉକ୍ତ ଗ୍ରାମର ସାହେବ ବାଡ଼ତ୍ୟା(୭୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉକ୍ତ ମାମଲାର ସାକ୍ଷୀ ମାନଙ୍କ ବୟାନକୁ ଆଧାର କରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଆରତୀ ପଟ୍ଟନାୟକ ମୋକଦ୍ଦମା ପରିଚାଳନା କରିଥିଲେ।