ଚିଲିକାରୁ ୮୭୦ ହେକ୍ଟର ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ବାଲୁଗାଁ,୧୦ା୭(ସଂଗ୍ରାମ ପାଇକରାୟ): ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ପୁଣି ଥରେ ଚିଲିକାରୁ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ଶନିବାର ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ ରବିବାର ଘେରି ଉଚ୍ଛେଦର ଦ୍ୱିତୀୟ ଦିନରେ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ନଈରୀ, କୁମାଣ୍ଡଳ ଓ ହାଟବରଡ଼ି ମଧ୍ୟରେ ପ୍ରାୟ ୨୭୦ହେକ୍ଟର ଅଞ୍ଚଳରୁ ବେଆଇନ ଭାବେ ଗଢ଼ି ଉଠିଥିବା ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଛି। ଏହି ଘେରି ଉଚ୍ଛେଦରୁ ମୋଟ୍‌ ୨୩ କୁଇଣ୍ଟାଲ ଜିରୋ ନେଟ୍‌ ଜବତ କରାଯାଇଛି। ସେହିଭଳି ଘେରି ଉଚ୍ଛେଦର ପ୍ରଥମଦିନ ଶନିବାର ଚିଲିକା ତହସିଲ ଅନ୍ତର୍ଗତ ଚିଲିକା ହ୍ରଦର ବଡକୂଳ ଜେଟିଠାରୁ ବାଲୁଗାଁ ଜେଟି ମଧ୍ୟରେ ପ୍ରାୟ ୬ଶହ ହେକ୍ଟର ଅଞ୍ଚଳରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଥିଲା। ଏହି ଘେରି ଉଚ୍ଛେଦରୁ ମୋଟ୍‌ ୧୨ ହଜାର ଫୁଟ ତଥା ୨୫ କୁଇଣ୍ଟାଲ ଜିରୋ ନେଟ୍‌ ଜବତ କରାଯାଇଛି। ତେବେ ଜବତ ସମସ୍ତ ବାଉଁଶ ଓ ଜାଲକୁ ନଷ୍ଟ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି। ଉଚ୍ଛେଦ କାର୍ଯ୍ୟରେ ଡଙ୍ଗା ଓ ଶ୍ରମିକ ନିୟୋଜିତ ହୋଇଥିଲେ। ଏହି ଘେରି ଉଚ୍ଛେଦ କାର୍ଯ୍ୟରେ ତହସିଲଦାରଙ୍କ ସମେତ ବାଲୁଗଁା ପୋଲିସ, ଚିଲିକା ମତ୍ସ୍ୟ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ତେବେ ଆଗାମୀ ଦିନରେ ମଧ୍ୟ ଚିଲିକାରୁ ଘେରି ଉଚ୍ଛେଦ ଅଭିଯାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।