ବ୍ରହ୍ମପୁର ଅଫିସ,୪।୪: ତୈଳବୀଜ ଉତ୍ପାଦନରେ ସୂର୍ଯ୍ୟମୁଖୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ପ୍ରଚୁର ପରିମାଣରେ ଜୀବନଶକ୍ତି ବା ଖାଦ୍ୟପ୍ରାଣ ରହିଛି। ଏଥିରେ ମୁଖ୍ୟତଃ ୨୦.୮% ପୁଷ୍ଟିସାର ଓ ୫୦% ସ୍ନେହସାର ଥିବାରୁ ଖାଇବା ତେଲ ଉତ୍ପାଦନରେ ଏବଂ ସ୍ବାସ୍ଥ୍ୟରକ୍ଷା ଦିଗରେ ଏହାର ପ୍ରମୁଖ ଭୂମିକା ରହିଛି। ବିଶେଷକରି ସୂର୍ଯ୍ୟମୁଖୀ ତେଲ ଖାଉଥିବା ଲୋକଙ୍କର କୋଲେଷ୍ଟରଲ, ହୃଦ୍ରୋଗ ଓ ରକ୍ତନଳୀ ରୋଗଜନିତ ଆଶଙ୍କା କମ୍ ରହିଥାଏ। ସୂର୍ଯ୍ୟମୁଖୀର ପିଡିଆରେ ପୁ୍ଷ୍ଟିସାର ମାତ୍ରାଧିକ ଥିବାରୁ ତାହାକୁ ଉତ୍ତମ ଖାଦ୍ୟ ଓ କୁକୁଡା ଖାଦ୍ୟ ଭାବେ ବ୍ୟବହାର କରାଯାଏ। ବର୍ତ୍ତମାନ ସୂର୍ଯ୍ୟମୁଖୀ ଫୁଲଚାଷ ଲୋକପ୍ରିୟ ହେବା ସାଙ୍ଗକୁ ଗଞ୍ଜାମ ଜିଲାରେ ମଧ୍ୟ ଏହି ଚାଷ ପ୍ରତି ଚାଷୀ ଅଧିକ ଆତ୍କୃଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଜିଲାରେ ଚଳିତବର୍ଷ ୬୬୭ ହେକ୍ଟର ସୂର୍ଯ୍ୟମୁଖୀ ଫୁଲଚାଷ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ଲକ୍ଷ୍ୟଠାରୁ ଅଧିକ ଅର୍ଥାତ୍ ୮୭୩ ହେକ୍ଟର ଚାଷ ହୋଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଏଥିମଧ୍ୟରୁ ଆସ୍କା ୫୫ ହେକ୍ଟର, ଶେରଗଡ ୩୫ ହେକ୍ଟର, ଧରାକୋଟ ୩୦ ହେକ୍ଟର, ସୋରଡ଼ା ୩୬ ହେକ୍ଟର, ପାତ୍ରପୁର ୮୭ ହେକ୍ଟର, ଚିକିଟି ୬୨ ହେକ୍ଟର, ଭଞ୍ଜନଗର ୨୫ ହେକ୍ଟର, ବେଲଗୁଣ୍ଠା ୧୦, ରଙ୍ଗେଇଲୁଣ୍ଡା ୬୫, ବୁଗୁଡ଼ା ୨୬, ଜଗନ୍ନାଥପ୍ରସାଦ ୭୩, ଛତ୍ରପୁର ୮୮, ପୁରୁଷୋତ୍ତମପୁର ୩୦, ଗଞ୍ଜାମ ୨୭, ହିଞ୍ଜିଳି ୮୬, ସାନଖେମୁଣ୍ଡି ୩, କୁକୁଡ଼ାଖଣ୍ଡି ୧୫, ଖଲ୍ଲିକୋଟ ୧୮, ବେଗୁନିଆପଡ଼ା ୧୨, କବିସୂର୍ଯ୍ୟନଗର ୫୦ ହେକ୍ଟର, ପୋଲସରାରେ ୪୦ ହେକ୍ଟର ସୂର୍ଯ୍ୟମୁଖୀ ଫୁଲଚାଷ ହୋଇଥିବା ସୂଚନା ମିଳିଛି।
ସୂର୍ଯ୍ୟମୁଖୀ ଫୁଲ ପାଇଁ ୮ରୁ ୪୩ ଡିଗ୍ରୀ ସେଲସିୟସ୍ ଉତ୍ତାପ ଅନୁଭୂତ ହେଉଥିବା ଅଞ୍ଚଳରେ ଚାଷ କରାଯାଏ। ଗଞ୍ଜାମ ଜିଲାର ତାପମାତ୍ରା ସୂର୍ଯ୍ୟମୁଖୀ ଫୁଲଚାଷ ଉପଯୋଗୀ ଜଳବାୟୁ। ଏହା ସାଧାରଣତଃ ଶୀଘ୍ର ଜଳ ନିଷ୍କାସନ ହୋଇପାରୁଥିବା ନିଗିଡ଼ା, ଦୋରସା ଓ ପଟୁ ଦୋରସା ମାଟିରେ ଭଲ ହୋଇଥାଏ। ଏହାର ହାଲୁକା ଲୁଣା ସହଣୀ ଶକ୍ତି ମଧ୍ୟ ରହିଛି। ଏହି ଚାଷ ଖରିଫ ଋତୁରେ ଅର୍ଥାତ୍ ଜୁଲାଇ ୧୫ ମଧ୍ୟରେ, ରବି ଋତୁରେ ନଭେମ୍ବର ୧୫ ସୁଦ୍ଧା ଓ ଖରାଟିଆ ଚାଷ ପାଇଁ ଜାନୁୟାରୀରୁ ଫେବୃୟାରୀ ମଧ୍ୟରେ ବିହନ ବୁଣାଯାଇଥାଏ। ବର୍ତ୍ତମାନ ଜିଲାର ବିଭିନ୍ନ ବ୍ଲକରେ ସୂର୍ଯ୍ୟମୁଖୀ ଫୁଲ ବିହନ ବୁଣା କାର୍ଯ୍ୟ ସରିଥିବା ସୂଚନା ମିଳିଛି। ଅନ୍ୟପଟେ ଜିଲାରେ ଉତ୍ପାଦନ ହେଉଥିବା ସୂର୍ଯ୍ୟମୁଖୀ ଫୁଲ ବହୁଳ ଭାବରେ ଆନ୍ଧ୍ରକୁ ରପ୍ତାନି ହୋଇଥାଏ। ବର୍ତ୍ତମାନ ୨ରୁ ୩ କିସମର ସୂର୍ଯ୍ୟମୁଖୀ ଫୁଲଚାଷ ହେଉଛି। ଏପରିକି ବହୁ ଚାଷୀ ବର୍ତ୍ତମାନ ସୂର୍ଯ୍ୟମୁଖୀ ଫୁଲ ଉତ୍ପାଦନ କରିବା ସାଙ୍ଗକୁ ନିଜେ ଫୁଲରୁ ତେଲ ସଂଗ୍ରହ କରୁଥିବା ସୂଚନା ମିଳିଛି।