ଅନାହାରରେ ୮,୭୫,୦୦୦ ଆଫ୍‌ଗାନ୍‌ ଶିଶୁ

କାବୁଲ, ୧୮।୫: ତାଲିବାନୀ ଶାସକ କାବୁଲକୁ ବଳପୂର୍ବକ ଦଖଲ କରିବା ପରେ ଆଫଗାନିସ୍ତାନବାସୀ ନାନାଦି ସମସ୍ୟା ଭିତର ଦେଇ ଗତି କରୁଥିବାବେଳେ ଖାଦ୍ୟାଭାବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଦେଶରେ ୮,୭୫,୦୦୦ ଶିଶୁ ଅନାହାରରେ ଥିବା ଏନ୍‌ଜିଓ ହ୍ୟୁମାନ ରାଇଟ୍‌ସ ଓ୍ବାଚ୍‌ (ଏଚ୍‌ଆର୍‌ଡବ୍ଲ୍ୟୁ) ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତାଲିବାନୀ ଶାସକ ମହିଳାମାନଙ୍କୁ ଏନ୍‌ଜିଓରେ କାମ କରିବା ନେଇ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପରେ ଦେଶରେ ଶିଶୁ ଅନାହାର ବୃଦ୍ଧି ପାଇଛି। ଅନାକାର କବଳିତ ଶିଶୁଙ୍କ ସମେତ ଦେଶର ଦୁଇ-ତୃତୀୟାଂଶ ଲୋକ ଖାଦ୍ୟାଭାବ ଦେଇ ଗତି କରୁଛନ୍ତି। ବିଶେଷ କରି ମହିଳା ଓ ଝିଅମାନଙ୍କ ଜୀବନ ବିପଦରେ ଥିବା ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟଦେଶରୁ ଆଫଗାନିସ୍ତାନକୁ ମିଳୁଥିବା ସହଯୋଗ ବନ୍ଦ ହୋଇଯିବା ଏହାର ମୁଖ୍ୟ କାରଣ ବୋଲି କୁହାଯାଇପାରିବ। ଅନାହାର ଯୋଗୁ ଚଳିତବର୍ଷ ଅନେକ ଶିଶୁ ପ୍ରାଣ ହରାଇବେ ବୋଲି ଜାତିସଂଘ ଚିଲ୍‌ଡ୍ରେନ୍ସଫଣ୍ଡର ମୁଖ୍ୟ ମେଲାନି ଗାଲଭିନ୍‌ ଟୁଇଟରରେ ଏକ ଭିଡିଓ ଶେୟାର କରି ସତର୍କ କରିଛନ୍ତି।
ପୂର୍ବରୁ ଓ୍ବାଲର୍‌ଡ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ବିଶ୍ୱରେ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ୭ ଦେଶ ହେଲା, ଆଫଗାନିସ୍ତାନ, ବୁର୍କିନା ଫାସୋ, ହାଇତି, ନାଇଜେରିଆ, ସୋମାଲିଆ, ଦକ୍ଷିଣ ସୁଦାନ ଏବଂ ୟେମେନ। ଖାଦ୍ୟାଭାବ ନେଇ ୨୦୧୭ରେ ଗ୍ଲୋବାଲ ରିପୋର୍ଟ ପ୍ରକାଶ ପାଇବା ପରଠୁ ଏହି ଦେଶଗୁଡ଼ିକରେ ଖାଦ୍ୟର ଅଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି।

 

Share