Categories: ଜାତୀୟ

ତାଲିକାରୁ ବାଦ୍‌ ପଡ଼ିଲେ ୮୭ ରାଜନୈତି ଦଳ

ନୂଆଦିଲ୍ଲୀ,୨।୬: ନିର୍ବାଚନ କମିଶନ ଯାଞ୍ଚ କରିବା ପରେ ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ(ଆର୍‌ୟୁପିପି) ତାଲିକାରୁ ୮୭ ଦଳକୁ ବାଦ୍‌ ଦେଇଛନ୍ତି। ନିୟମ ଓ ନିର୍ବାଚନ ଆଇନର ଉଲ୍ଲଂଘନ କରୁଥିବା୨,୧୦୦ରୁ ଊର୍ଦ୍ଧ୍ୱ ପଞ୍ଜୀକୃତ ଅଣସ୍ବୀକୃତ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବରୁ ନିର୍ବାଚନ କମିଶନ କହିଥିଲେ। ଦଳଗୁଡ଼ିକ ସେମାନଙ୍କ କାର୍ଯ୍ୟକର୍ତ୍ତାଙ୍କ ନାମ ଓ ଠିକଣା ନ ବଦଳାଇ ଚାନ୍ଦା ସଂଗ୍ରହ କରୁଥିବା ଅଭିଯୋଗ ହୋଇଥିଲା। କେତେକ ଦଳ ଗୁରୁତର ଆର୍ଥତ୍କ ଅନିୟମିତତାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ୮୭ଟି ଦଳ ସେମାନଙ୍କ କାର୍ଯ୍ୟକର୍ତ୍ତାଙ୍କ ନାମ ଓ ଠିକଣା ଅପ୍‌ଡେଟ କରି ନ ଥିବା ବେଳେ ସମ୍ପୃକ୍ତ ରାଜ୍ୟରେ ଉକ୍ତ ଦଳଗୁଡ଼ିକର ଅସ୍ଥିତ୍ୱ ନ ଥିବା ଯାଞ୍ଚରୁ ଜଣାପଡ଼ିଥିଲା। ଇସିଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଗୋଟିଏ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବ ବୋଲି କହିଛି। ତେବେ ଉକ୍ତ ଦଳଗୁଡ଼ିକ ନିଜର ଅସ୍ଥିତ୍ୱ ବଜାୟ ରଖିବା ଲାଗି ଯଦି ଆବଶ୍ୟକ ପଦକ୍ଷେପ ନ ନିଅନ୍ତି ତେବେ ସେମାନଙ୍କୁ ସାଧାରଣ ନିର୍ବାଚନ ଚିହ୍ନ ମିଳିବ ନାହିଁ। ୨୦୨୧ ସେପ୍ଟେମ୍ବରରେ ଦେଶରେ ୨,୭୯୬ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ ରହିଥିଲେ।

Share