Categories: ବାଣିଜ୍ୟ

ବ୍ୟାଙ୍କକୁ ଫେରିଛି ୮୮% ୨ ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନିକଟକୁ ବର୍ତ୍ତମାନ ପ୍ରାୟ ୮୮% ୨ ହଜାର ଟଙ୍କିଆ ନୋଟ୍‌ ଫେରସ୍ତ ଆସିଛି। ଏପରିକି ବଜାରରେ ବର୍ତ୍ତମାନ ମଧ୍ୟ ୧୨%ର ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ହେଉଛି। ଉକ୍ତ ନୋଟ୍‌ର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଲାଗି ୨୦୨୩ ସେପ୍ଚେମ୍ବର ୩୦ ପର୍ଯ୍ୟନ୍ତ ଶେଷ ସମୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଆର୍‌ବିଆଇ ମଙ୍ଗଳବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କେନ୍ଦ୍ରୀୟ ବ୍ୟାଙ୍କକୁ ଫେରସ୍ତ ଆସିସାରିଥିବା ୨ହଜାର ଟଙ୍କିଆ ନୋଟ୍‌ର ବିସ୍ତୃତ ତଥ୍ୟ ଜାରି କରିଛନ୍ତି। ଉକ୍ତ ତଥ୍ୟ ଅନୁସାରେ ୨୦୨୩ ଜୁଲାଇ ୩୧ ସୁଦ୍ଧା ଭାରତୀୟ ବଜାରରୁ ମୋଟ ୩.୧୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍‌ ବ୍ୟାଙ୍କକୁ ଫେରି ସାରିଥିବା ବେଳେ ବଳକା ପରିମାଣ ବର୍ତ୍ତମାନ ବି ବଜାରରେ ପ୍ରଚଳନ ହେଉଛି। ଏପରିକି ୨୦୨୩ ମେ ୧୯ ଠାରୁ ଜୁଲାଇ ଶେଷ ମଧ୍ୟରେ ଆର୍‌ବିଆଇକୁ ଫେରସ୍ତ ଆସିଥିବା ୮୮% ୨୦୦୦ ଟଙ୍କିଆ ନୋଟ୍‌ ଯାହାର ମୋଟ ମୂଲ୍ୟ ୩.୧୪ ଲକ୍ଷ କୋଟି ଟଙ୍କା ହେବ। ବର୍ତ୍ତମାନ ବଜାରରେ ୦.୪୨ କୋଟି ଟଙ୍କାର ନୋଟ୍‌ ପ୍ରଚଳନ(ସର୍କୁଲେଶନ)ରେ ଅଛି। ଉଲ୍ଲେଖଯୋଗ୍ୟ, ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଦେଶରେ ପାଖାପାଖି ୩.୬୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କା ନୋଟ୍‌ ଥିଲା ବେଳେ ୨୦୨୩ ଜୁଲାଇ ୩୧ ସୁଦ୍ଧା ବଜାରରୁ ୩.୧୪ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍‌ କେନ୍ଦ୍ରୀୟ ବ୍ୟାଙ୍କକୁ ଫେରସ୍ତ ଆସିସାରିଛି। ଅପରପକ୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ୨ ହଜାର ଟଙ୍କା ନୋଟ୍‌କୁ ବଜାର ପ୍ରଚଳନରୁ ବାହାର କରିବା ସହ ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କଗୁଡିକ ଉକ୍ତ ଟଙ୍କାକୁ ବଦଳେଇନେବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ବ୍ୟାଙ୍କଗୁଡିକ ଛଡ଼ା ଆର୍‌ବିଆଇର ୧୯ କ୍ଷେତ୍ରୀୟ କାର୍ଯ୍ୟାଳୟରେ ମଧ୍ୟ ଲୋକଙ୍କୁ ୨ହଜାର ଟଙ୍କା ନୋଟ୍‌ ବଦଳାଇବାର ସୁବିଧା ଦେଇଥିଲେ। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ମଧ୍ୟ ଲୋକଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟାଙ୍କରୁ ଟଙ୍କା ବଦଳାଇନେବାକୁ ନିବେଦନ କରିଥିଲେ।

Share